ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଗଣତି ଓ ମଣତି କାର୍ଯ୍ୟକୁ ଆସନ୍ତାକାଲିଠାରୁ ସ୍ଥଗିତ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମହାପ୍ରଭୁଙ୍କ ଅଶେଷ କୃପା ଓ ଆଶୀର୍ବାଦରୁ ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସୁଚାରୁ ଭାବେ ଆଗେଇ ଚାଲିଛି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ସମଗ୍ର ପ୍ରକ୍ରିୟା ଚାଲିଥିବା ବେଳେ ଗଜପତି ମହାରାଜାଙ୍କ ମାର୍ଗଦର୍ଶନ, ଉଚ୍ଚସ୍ତରୀୟ କମିଟି, ପରିଚାଳନା କମିଟି, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ସେବାୟତମାନଙ୍କ ସହଯୋଗ ଏଥିରେ ମୁଖ୍ୟ ଭୂମିକା ନେଇଛି।
ବର୍ତ୍ତମାନର ତୀବ୍ର ଗ୍ରୀଷ୍ମ ପ୍ରବାହ, ମନ୍ଦିରରେ ଭକ୍ତମାନଙ୍କ ଭିଡ଼ ଏବଂ ଆଗାମୀ ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରା ପର୍ବକୁ ଦୃଷ୍ଟିରେ ରଖି ଏହି ପର୍ଯ୍ୟାୟର ଗଣତି କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ଓ ପରିଚାଳନା କମିଟିର ବୈଠକ ଆୟୋଜିତ ହେବା ସହ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଜନା ପ୍ରସ୍ତୁତ କରାଯିବ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଜୁନ୍ ମାସରେ ପୁନର୍ବାର ରତ୍ନଭଣ୍ଡାର ଗଣତି ଓ ମଣତି କାର୍ଯ୍ୟ ଆରମ୍ଭ କରାଯିବ। ତେବେ ଆଜି (୨୩ ମେ) ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଣତି ପ୍ରକ୍ରିୟା ଚାଲିବ।




