ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବାରମ୍ବାର ଘଟୁଥିବା ଭିଡ଼ହିଂସା (Mob Violence) ମାମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ ଏଭଳି ବର୍ବରୋଚିତ ଘଟଣାକୁ ଦୃଢ଼ ଶବ୍ଦରେ ନିନ୍ଦା କରିବା ସହ କହିଛନ୍ତି ଯେ, ସମାଜରେ ଆଇନକୁ ହାତକୁ ନେବା ଆଦୌ ଗ୍ରହଣୀୟ ନୁହେଁ।
ମନମୋହନ ସାମଲ କହିଛନ୍ତି ଯେ, ଏହି ଭିଡ଼ହିଂସା ଭଳି ସଙ୍ଗୀନ ଅପରାଧକୁ କିପରି ଦୃଢ଼ ହସ୍ତରେ ଦମନ କରାଯିବ, ସେ ଦିଗରେ ପ୍ରକ୍ରିୟା ଜାରି ରହିଛି। ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ କଠୋର କରିବା ସହ ଦୋଷୀଙ୍କ ବିରୋଧରେ କିପରି ଦୃଢ଼ତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେଥିପ୍ରତି ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ଏଭଳି ସ୍ଥିତିରେ ପୋଲିସ ପ୍ରଶାସନର ସତର୍କତା ଓ ତତ୍ପରତା ନିହାତି ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ନିକଟରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଏବଂ ଏବେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭୟଙ୍କର ଭିଡ଼ହିଂସା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି। ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ବାଲିଅନ୍ତା ଓ ରାୟଗଡ଼ା ଘଟଣା ଯୋଗୁଁ ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଛବି ମଳିନ ହେଉଥିବା ବେଳେ, ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ରକ୍ଷା କରିବାରେ ପୁଲିସ କେଉଁଠି ନା କେଉଁଠି ବିଫଳ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ପିଲାଚୋର ସନ୍ଦେହରେ ନିରୀହ ଲୋକଙ୍କୁ ମରଣାନ୍ତକ ଆକ୍ରମଣ ଓ ଅମାନବିକ ନିର୍ଯାତନା ଦିଆଯିବା ପୋଲିସର ଗୋଇନ୍ଦା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।




