ବଲାଙ୍ଗୀର: ବଲାଙ୍ଗୀର ରେଳଷ୍ଟେସନରୁ ଏକ ବଡ଼ ଧରଣର ଶିଶୁ ଶ୍ରମିକ ଚାଲାଣ ର୍ୟାକେଟର ପର୍ଦ୍ଦାଫାଶ କରିଛି ରେଳବାଇ ସୁରକ୍ଷା ବଳ (RPF)। ଓଡ଼ିଶା ବାହାରକୁ କାମ ପାଇଁ ଚାଲାଣ କରାଯାଉଥିବା ସମୟରେ RPF ଟିମ୍‌ ଚଢ଼ାଉ କରି ୧୭ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ଛତିଶଗଡ଼ର ଜଣେ ଠିକାଦାର ରମେଶ ପାଣ୍ଡୁଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ଶିଶୁମାନେ ଛତିଶଗଡ଼, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି। ସେମାନେ ଗତ ୧୮ ଦିନ ଧରି ବୌଦ୍ଧ ଜିଲ୍ଲା ପୁରୁଣାକଟକ ନିକଟରେ ଚାଲିଥିବା ବଲାଙ୍ଗୀର-ଖୋର୍ଦ୍ଧା ନୂତନ ରେଳପଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ।

ଠିକାଦାର ଜଣକ ସେମାନଙ୍କୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଥିବା ବେଳେ ଷ୍ଟେସନରେ ଆରପିଏଫ୍ ହାତରେ ଧରାପଡ଼ିଥିଲେ।ଏହି ଖବର ପାଇ ସରକାରୀ ରେଳବାଇ ପୋଲିସ (GRP), ଶିଶୁ ମଙ୍ଗଳ ସମିତି (CWC) ଏବଂ ଶିଶୁ ସୁରକ୍ଷା ବିଭାଗର ଦଳ ଷ୍ଟେସନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଉଦ୍ଧାର ହୋଇଥିବା ନାବାଳକମାନଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଥିବା ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ପୋଲିସ ଠିକାଦାର ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଶିଶୁ ଶ୍ରମିକ ଚାଲାଣ ପଛରେ ଏକ ଆନ୍ତଃରାଜ୍ୟ ର୍ୟାକେଟ୍ ସକ୍ରିୟ ଥିବା ପୋଲିସ ସନ୍ଦେହ କରୁଛି।