ସମ୍ବଲପୁର: ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର) ର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଗତ ୪ ଦିନ ମଧ୍ୟରେ ୫ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ମେଡିକାଲ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିବା ସହ ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ମେ’ ୧ ତାରିଖରେ ଜଣେ ମହିଳା ଚିକିତ୍ସାଧୀନ ଅବସ୍ଥାରେ ହଠାତ୍ ଗୁରୁତର ହୋଇପଡ଼ିଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ପରବର୍ତ୍ତୀ କିଛି ଦିନ ମଧ୍ୟରେ ଏହି ବିଭାଗରେ ଆଉ ୪ ଜଣ ମହିଳାଙ୍କର ମଧ୍ୟ ଜୀବନ ଯାଇଛି। ମାତ୍ର କିଛି ଦିନ ମଧ୍ୟରେ ଜଣଙ୍କ ପରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକଟ କରାଯାଇଛି।
ଏହି ମୃତ୍ୟୁ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହା କୌଣସି ନିର୍ଦ୍ଦିଷ୍ଟ ରୋଗ, ଔଷଧର ପ୍ରତିକ୍ରିୟା କିମ୍ବା ଚିକିତ୍ସା ଅବହେଳା ଯୋଗୁଁ ହୋଇଛି କି ନାହିଁ, ସେ ନେଇ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ, ବିଭାଗରେ ଅତ୍ୟଧିକ ଗୁରୁତର ରୋଗୀ ଭର୍ତ୍ତି ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।
ଭିମସାର ଅଧୀକ୍ଷକ ସୁନୀଲ ଶର୍ମା କହିଛନ୍ତି ଯେ, “ଆମେ ଏହି ମୃତ୍ୟୁ ଘଟଣାଗୁଡ଼ିକର ନିୟମିତ ସମୀକ୍ଷା କରୁଛୁ। ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ପ୍ରତି ମାସରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୁଏ ଏବଂ ପ୍ରତି ସପ୍ତାହରେ ମୁଁ ସମସ୍ତ ବିଭାଗୀୟ ମୁଖ୍ୟଙ୍କଠାରୁ ରିପୋର୍ଟ ସଂଗ୍ରହ କରେ।”
ଭିମସାରର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଉପରେ କେବଳ ସମ୍ବଲପୁର ନୁହେଁ, ବରଂ ପଶ୍ଚିମ ଓଡ଼ିଶାର ଅନେକ ପଡ଼ୋଶୀ ଜିଲ୍ଲାର ରୋଗୀମାନେ ନିର୍ଭର କରିଥାନ୍ତି। ଏଭଳି ପରିସ୍ଥିତିରେ ଏତେ ସଂଖ୍ୟକ ମୃତ୍ୟୁ ଘଟଣା ସ୍ୱାସ୍ଥ୍ୟ ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଦନ୍ତ ପରେ ହିଁ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।




