ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲକୁ ଜିଏସଟି (GST) ପରିସରଭୁକ୍ତ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର। ଆଗାମୀ ଜିଏସଟି କାଉନସିଲ୍ ବୈଠକରେ ଏହାକୁ ଏକ ଆନୁଷ୍ଠାନିକ ଏଜେଣ୍ଡା ଭାବେ ସାମିଲ କରିବାକୁ ସେ ଦାବି କରିଛନ୍ତି।
ସମ୍ବିଧାନର ଧାରା 279A(5) ର ଦେଶାଇ ଦେଇ ସାଂସଦ କହିଛନ୍ତି ଯେ, ବର୍ତ୍ତମାନ ପେଟ୍ରୋଲିୟମ ଦ୍ରବ୍ୟ ଜିଏସଟି ବାହାରେ ଥିବାରୁ ବିଭିନ୍ନ ରାଜ୍ୟରେ ଏହାର ଦରରେ ବଡ଼ ପାର୍ଥକ୍ୟ ଦେଖାଦେଉଛି।
ଉଦାହରଣ ସ୍ୱରୂପ, ଓଡ଼ିଶାରେ ପେଟ୍ରୋଲ ଉପରେ ୨୮% ଏବଂ ଡିଜେଲ ଉପରେ ୨୪% ଭାଟ୍ (VAT) ଲାଗୁଛି। ଯଦି ଏହାକୁ ୨୮% ର ସର୍ବୋଚ୍ଚ ଜିଏସଟି ସ୍ଲାବରେ ରଖାଯାଏ, ତେବେ ପେଟ୍ରୋଲ ଲିଟର ପିଛା ୨୫ ଟଙ୍କା ଏବଂ ଡିଜେଲ ୧” ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇପାରେ। ଏହାଦ୍ୱାରା ଜଣେ ମଧ୍ୟବିତ୍ତ ପରିବାର ମାସିକ ପ୍ରାୟ ୧,୫୦୦ ଟଙ୍କା ଏବଂ ବାର୍ଷିକ ୧୮,୦୦୦ ରୁ ୧୯,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ଏହାସହ ଚାଷୀ ଓ ଶିଳ୍ପ ଜଗତ ମଧ୍ୟ ଉପକୃତ ହେବେ।
ତେବେ ଏହାଦ୍ୱାରା ଓଡ଼ିଶାର ବାର୍ଷିକ ପ୍ରାୟ ୪,୫୦୦ କୋଟି ଏବଂ କେନ୍ଦ୍ରର ୩,୦୦୦ କୋଟି ଟଙ୍କାର ରାଜସ୍ୱ ହ୍ରାସ ପାଇବାର ଆଶଙ୍କା ରହିଛି। ଏହି ଆର୍ଥିକ କ୍ଷତିର ଭରଣା ପାଇଁ ସସ୍ମିତ ପାତ୍ର ଏକ ପର୍ଯ୍ୟାୟକ୍ରମେ ଅନ୍ତର୍ଭୁକ୍ତୀକରଣ ମଡେଲ, ରାଜ୍ୟଗୁଡ଼ିକ ପାଇଁ ସଂକ୍ରମଣକାଳୀନ କ୍ଷତିପୂରଣ ଏବଂ ଏକ ସନ୍ତୁଳିତ ଜିଏସଟି ହାର ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି।




