ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ପାରମ୍ପରିକ ରୀତିନୀତି ଅନୁଯାୟୀ ପବିତ୍ର ସାବିତ୍ରୀ ବ୍ରତ ପାଳିତ ହେଉଛି। ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସଧବା ନାରୀମାନେ ନିଜ ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ଏହି ନିଷ୍ଠାପୂର୍ଣ୍ଣ ବ୍ରତ ରଖିଛନ୍ତି। ପୌରାଣିକ କଥା ଅନୁଯାୟୀ, ମହାସତୀ ସାବିତ୍ରୀ ନିଜ ସତୀତ୍ୱ ବଳରେ ଯମରାଜଙ୍କ କବଳରୁ ସ୍ୱାମୀ ସତ୍ୟବାନଙ୍କ ପ୍ରାଣ ଫେରାଇ ଆଣିଥିଲେ, ଯାହାକୁ ସ୍ମରଣ କରି ଏହି ପୂଜା କରାଯାଏ।
ସକାଳୁ ବ୍ରାହ୍ମ ମୁହୂର୍ତ୍ତରୁ ଉଠି ମହିଳାମାନେ ସ୍ନାନ ସାରି ନୂଆ ଶାଢ଼ି, କାଚ ଚୁଡ଼ି, ସିନ୍ଦୂର ଓ ଅଳତା ପିନ୍ଧି ସଜେଇ ହୋଇ ବ୍ରତ କରୁଥିବା ନାରୀ ମାନେ ବରଗଛ ମୂଳେ ଜଳ ଲାଗି କରି ସୂତା ବାନ୍ଧି ପ୍ରଦକ୍ଷିଣ କରିଛନ୍ତି। ସେହିପରି ଆଉ କିଛି ଜଣ ଘରେ ମା’ ସାବିତ୍ରୀଙ୍କ ପ୍ରତୀକ ଭାବେ ଶିଳପୁଆକୁ ହଳଦୀ-ସିନ୍ଦୂରରେ ସଜାଇ ପୂଜା କରନ୍ତି।
ମହିଳାମାନେ ଦିନସାରା ଉପବାସ ରହି ମା’ଙ୍କ ନିକଟରେ ଆମ୍ବ, ପଣସ, କଦଳୀ ଭଳି ୯ ପ୍ରକାରର ଫଳମୂଳ ଏବଂ ଚୂଡ଼ା-ମୁଗ ପ୍ରସାଦ ଅର୍ପଣ କରନ୍ତି।
ଆଜି ସକାଳୁ ଭୁବନେଶ୍ୱର ଓ କଟକ ସମେତ ବିଭିନ୍ନ ସ୍ଥାନରେ ଥିବା ମନ୍ଦିରଗୁଡ଼ିକରେ ବ୍ରତଧାରୀ ମହିଳାଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସେଠାରେ ପୁରୋହିତଙ୍କ ଠାରୁ ‘ସାବିତ୍ରୀ ବ୍ରତ କଥା’ ଶୁଣି ସାରିବାପରେ ମହିଳାମାନେ ହାତରେ ସାବିତ୍ରୀ ସୂତା (ବ୍ରତ) ବାନ୍ଧି ପ୍ରସାଦ ସେବନ କରି ଓ ସ୍ୱାମୀଙ୍କ ଆଶୀର୍ବାଦ ନେଇ ନିଜର ବ୍ରତ ଭାଙ୍ଗନ୍ତି।




