ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ପୁଣି ଏକ କଳା ବାଘ (Melanistic Tiger) ର ଶିକାର ହୋଇଥିବା ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩ ଜଣ ଆନ୍ତଃରାଜ୍ୟ ବନ୍ୟପ୍ରାଣୀ ଶିକାରୀ ଓ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଏକ ବିରଳ କଳା ବାଘର ଚମଡ଼ା, ୩ଟି ମୋଟରସାଇକେଲ ଏବଂ ୨ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।
ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନର ଏକ ସ୍ୱତନ୍ତ୍ର ଟିମ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖୁଣ୍ଟା ଥାନା ଅନ୍ତର୍ଗତ ବାସୀପିଠା-ଭୂପତ ରୋଡ୍ରେ ଚଢ଼ାଉ କରିଥିଲେ । ଶିକାରୀମାନେ ସେଠାରେ ବାଘ ଚମଡ଼ା ବିକ୍ରି ପାଇଁ ଗ୍ରାହକଙ୍କ ସହ ମୂଲଚାଲ କରୁଥିବା ସମୟରେ ବନ ବିଭାଗ ହାତରେ ଧରାପଡ଼ିଥିଲେ । ଜବତ ହୋଇଥିବା ଚମଡ଼ାଟି ପ୍ରାୟ ୨ ବର୍ଷର ଏକ କଳା ବାଘ ଛୁଆର ବୋଲି ଜଣାପଡ଼ିଛି ।
ଗିରଫ ଅଭିଯୁକ୍ତମାନେ ହେଲେ:
- ଗଙ୍ଗାଧର ମୁର୍ମୁ (୬୨): କୁସୁମଘାଟି ଗ୍ରାମ (ଖୁଣ୍ଟା ଥାନା)
- ରାମଦାସ ହେମ୍ବ୍ରମ (୪୦): କାଠରୁମା ଗ୍ରାମ (କୁଳିଅନା ଥାନା)
- ଭୀମା ବାସ୍କେ (୪୦): ଜୋକା ଗ୍ରାମ (ବାଙ୍ଗିରିପୋଷି ଥାନା)
ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି । ଚଢ଼ାଉ ସମୟରେ ଜଣେ ଅଭିଯୁକ୍ତ ଦୌଡ଼ି ପଳାଇବାକୁ ଚେଷ୍ଟା କରି ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଶିମିଳିପାଳ ଦକ୍ଷିଣ ଡିଭିଜନର ଡେପୁଟି ଡିରେକ୍ଟର ସୁମିତ କୁମାର କର ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ, ଏହି ବେଆଇନ କାରବାର ପଛରେ ଏକ ବଡ଼ ର୍ୟାକେଟ୍ ସକ୍ରିୟ ଥିବା ଆଶଙ୍କା କରାଯାଉଛି । ଏହି ନେଟୱର୍କର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଏବଂ ଏଥିରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଜାରି ରହିଛି । ଏହା ସହିତ ବାଘଟିର ବୟସ ଓ ଅନ୍ୟାନ୍ୟ ତଥ୍ୟର ସଠିକ୍ ଯାଞ୍ଚ ପାଇଁ ଚମଡ଼ା ନମୁନାକୁ ଡେହରାଡୁନସ୍ଥିତ ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (WII) କୁ ପଠାଯିବ ।
ସୂଚନାଯୋଗ୍ୟ, ସମଗ୍ର ବିଶ୍ୱରେ କେବଳ ଶିମିଳିପାଳ ଅଭୟାରଣ୍ୟରେ ହିଁ ପ୍ରାକୃତିକ ପରିବେଶରେ ଏହି ବିରଳ ପ୍ରଜାତିର କଳା ବାଘ ଦେଖିବାକୁ ମିଳନ୍ତି । ଏଭଳି ସ୍ଥିତିରେ ବାରମ୍ବାର ବାଘ ଶିକାର ଘଟଣା ଓଡ଼ିଶାର ବ୍ୟାଘ୍ର ସଂରକ୍ଷଣ ଉଦ୍ୟମ ପ୍ରତି ଏକ ବଡ଼ ଶକ୍ତ ଧକ୍କା ବୋଲି ବନ୍ୟପ୍ରାଣୀ ପ୍ରେମୀମାନେ ଉଦ୍ବେଗ ପ୍ରକାଶ କରିଛନ୍ତି ।




