ପୁରୀ: ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ଏକ ଭକ୍ତିମୟ ଦୃଶ୍ୟ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରଭୁ ଶିବଙ୍କ ଉଦ୍ଦେଶ୍ୟରେ ଏକ ୮ ଫୁଟ୍ ଉଚ୍ଚର ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି। ‘ହର ହର ମହାଦେବ’ ସନ୍ଦେଶ ସହ ନିର୍ମିତ ଏହି ପ୍ରତିକୃତିରେ ମହାଦେବଙ୍କ ଧ୍ୟାନମଗ୍ନ ଓ ଶାନ୍ତ ରୂପ ପ୍ରଦର୍ଶିତ ହୋଇଛି, ଯାହା ଆଧ୍ୟାତ୍ମିକ ଚେତନା, ଶାନ୍ତି ଓ ଦିବ୍ୟ ଶକ୍ତିର ପ୍ରତୀକ।
ଏହି ବାଲୁକା କଳାରେ ଏକ ଭବ୍ୟ ଶିବଲିଙ୍ଗ, ପବିତ୍ର ଜଳ ନେଇ ଯାଉଥିବା ଦୁଇଜଣ କାଉଡ଼ିଆ, ତ୍ରିଶୂଳ, ଡମରୁ, ଅର୍ଦ୍ଧଚନ୍ଦ୍ର, ନାଗସାପ, ରୁଦ୍ରାକ୍ଷ ମାଳା ଏବଂ ଶିବଙ୍କ ଜଟାରୁ ପ୍ରବାହିତ ଗଙ୍ଗା ନଦୀର ସୁନ୍ଦର ଚିତ୍ରାଙ୍କନ କରାଯାଇଛି। ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି କଳାକୃତି ନିର୍ମାଣ କରାଯାଇଛି, ଯାହା ଶ୍ରାବଣ ମାସର ପରମ୍ପରା ଓ ନିଷ୍ଠାକୁ ପ୍ରତିଫଳିତ କରୁଛି।
ଏହି ଅବସରରେ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, “ପ୍ରଥମ ଶ୍ରାବଣ ସୋମବାରର ପବିତ୍ର ତିଥିରେ ମୁଁ ବିଶ୍ୱଶାନ୍ତି, ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ସମୃଦ୍ଧି ପାଇଁ ପ୍ରଭୁ ଶିବଙ୍କ ନିକଟରେ ପ୍ରାର୍ଥନା କରୁଛି। ମହାଦେବଙ୍କ ଆଶୀର୍ବାଦ ସମସ୍ତଙ୍କୁ ଶକ୍ତି, ଦୟା ଓ ସକାରାତ୍ମକ ମାର୍ଗରେ ଆଗେଇ ନେଉ। ଏହି ବାଲୁକା କଳା ମାଧ୍ୟମରେ ମୁଁ ବିଶ୍ୱବାସୀଙ୍କୁ ବିଶ୍ୱାସ, ଆଶା ଓ ଆଧ୍ୟାତ୍ମିକ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେବାକୁ ଚାହୁଁଛି।”
ସୂଚନାଯୋଗ୍ୟ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବିଶ୍ୱର ୬୫ରୁ ଅଧିକ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିୟନସିପ୍ ଓ ଉତ୍ସବରେ ଭାରତର ପ୍ରତିନିଧିତ୍ୱ କରିସାରିଛନ୍ତି। ନିଜର ଅନନ୍ୟ କଳା ମାଧ୍ୟମରେ ସେ ଭାରତୀୟ ସଂସ୍କୃତି, ଭକ୍ତି, ଏକତା ଓ ମାନବିକତାର ସନ୍ଦେଶ ପ୍ରଚାର କରିଆସୁଛନ୍ତି।




