ପୁରୀ: ପୁରୀ ରେଳଷ୍ଟେସନ୍ ନିକଟରେ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ତାଳଚେରରୁ ପୁରୀ ଅଭିମୁଖେ ଆସୁଥିବା ତାଳଚେର-ପୁରୀ ଟ୍ରେନ୍‌ଟି ପୁରୀ ଷ୍ଟେସନ୍‌ଠାରୁ ମାତ୍ର ୫୦୦ ମିଟର ଦୂରରେ ହଠାତ୍ ଲାଇନଚ୍ୟୁତ ହୋଇପଡ଼ିଛି।ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଟ୍ରେନ୍‌ଟି ଗନ୍ତବ୍ୟ ସ୍ଥଳ ପୁରୀ ଷ୍ଟେସନ୍‌ରେ ପହଞ୍ଚିବା ପୂର୍ବରୁ ମାତ୍ର ଅଳ୍ପ ଦୂରତାରେ ଥିବା ବେଳେ ଅଚାନକ ଟ୍ରାକ୍‌ରୁ ଓହଳି ଯାଇଥିଲା।ଟ୍ରେନ୍‌ଟି ହଠାତ୍ ଝଟକା ସହ ଲାଇନଚ୍ୟୁତ ହେବା ମାତ୍ରେ ଭିତରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ ଏବଂ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।ତେବେ ଷ୍ଟେସନ୍ ନିକଟତର ହୋଇଥିବାରୁ ଟ୍ରେନ୍‌ର ଗତି ବେଶ୍ କମ୍ ଥିଲା, ଯାହା ଫଳରେ ଏକ ବଡ଼ ଅଘଟଣରୁ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇବା ପରେ ରେଳବାଇ ଅଧିକାରୀ ଓ ବୈଷୟିକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି।

ଲାଇନଚ୍ୟୁତ ହୋଇଥିବା ଟ୍ରେନ୍‌କୁ ପୁନର୍ବାର ଟ୍ରାକ୍‌କୁ ଆଣିବା ଏବଂ ଏହି ମୁଖ୍ୟ ରୁଟ୍‌ରେ ରେଳ ଚଳାଚଳ ସ୍ୱାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି। ଟ୍ରେନ୍‌ଟି କେଉଁ କାରଣରୁ ଲାଇନଚ୍ୟୁତ ହେଲା,ଟ୍ରାକ୍‌ରେ କୌଣସି ତ୍ରୁଟି ଥିଲା ନା ଯାନ୍ତ୍ରିକ ସମସ୍ୟା ଯୋଗୁଁ ଏହା ଘଟିଲା, ସେ ନେଇ ଉଚ୍ଚସ୍ତରୀୟ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।

ଷ୍ଟେସନ୍‌ର ଅତି ନିକଟରେ ଏଭଳି ଘଟଣା ଘଟିଥିବାରୁ ରେଳ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।