ଭୁବନେଶ୍ବର: ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାର ଏକ ଘରୋଇ ସି-ଫୁଡ୍ ପ୍ରକ୍ରିୟାକରଣ କାରଖାନାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର ସନ୍ଧ୍ୟାରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଛି। ବିମାନବନ୍ଦରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୃତ ଶ୍ରମିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି ସମବେଦନା ପ୍ରକାଶ କରିଛନ୍ତି।

ଏହି ଅଭାବନୀୟ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୂର୍ବରୁ ଗଭୀର ଦୁଃଖ ପ୍ରକାଶ କରିଥିଲେ। ପ୍ରଥମେ ମୃତ ଶ୍ରମିକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ସହାୟତା ରାଶିକୁ ବୃଦ୍ଧି କରି ୧୦ ଲକ୍ଷ ଟଙ୍କା କରାଯାଇଛି।

ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଚଳିତ ମାସ ୨୧ ତାରିଖରେ ଘଟିଥିବା ଏହି ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରଥମେ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ସଜନୀ ଜୁଆଙ୍ଗ ଓ ଜାମୁନି ଜୁଆଙ୍ଗଙ୍କ ମୃତ୍ୟୁ ହେବା ସହ ମୋଟ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି।

କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକର ଟାଙ୍ଗିରି ଗାଁରୁ ମୋଟ ୧୮ ଜଣ ଶ୍ରମିକ ତାମିଲନାଡୁ ଯାଇଥିବା ବେଳେ ସେଥିରୁ ୭ ଜଣଙ୍କର ମୃତ୍ୟୁ ହୋଇଛି।

ତାମିଲନାଡୁରେ ଓଡ଼ିଶା ସରକାରଙ୍କ ସମନ୍ୱୟ

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରମ ବିଭାଗ ଓ ତାମିଲନାଡୁ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖାଯାଉଛି। ମୃତ ଶ୍ରମିକଙ୍କ ପରିଚୟ ସୁନିଶ୍ଚିତ କରାଯାଇ ମୃତଦେହଗୁଡ଼ିକୁ ସମ୍ମାନର ସହ ନିଜ ଗାଁକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି।

ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ଚେନ୍ନାଇ ଓ ତିରୁଭଲ୍ଲୁରରେ ରହି ଚିକିତ୍ସାଧୀନ ଆହତ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖୁଛନ୍ତି।

ଆହତଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ

ଦୁର୍ଘଟଣାରେ ଆହତ ହୋଇଥିବା କେତେକ ଶ୍ରମିକ ଏବେ ବି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପ୍ରାୟ ୧୩୦ ଜଣ ଶ୍ରମିକଙ୍କୁ ନିକଟସ୍ଥ କମ୍ୟୁନିଟି ହଲ୍‌ରେ ରଖାଯାଇ ସେମାନଙ୍କ ପାଇଁ ଖାଦ୍ୟ ଓ ଅନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦିଆଯାଉଛି।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମଗ୍ର ସ୍ଥିତିର ନିୟମିତ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେଉଛନ୍ତି।