ଭୁବନେଶ୍ୱର: ରାଜ୍ୟରେ ସାର ଅଭାବ ପ୍ରସଙ୍ଗକୁ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରାପ୍ରସାଦ ବାହିନୀପତି। ସାର ଯୋଗାଣରେ ବ୍ୟାଘାତକୁ ନେଇ ସେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ସରକାରଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି।
ତାରାପ୍ରସାଦ କହିଛନ୍ତି ଯେ, ପୂର୍ବରୁ ସରକାର ରାଜ୍ୟରେ ସାରର କୌଣସି ଅଭାବ ନାହିଁ ବୋଲି ବଡ଼ ବଡ଼ ଦାବି କରୁଥିଲେ। କିନ୍ତୁ ବର୍ତ୍ତମାନର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ବଜାରରେ ୟୁରିଆ ସାର ମିଳୁନଥିବାରୁ ଏବେ ସରକାର ନିଜ ଆଡ଼ୁ ଚାଷୀଙ୍କୁ ୟୁରିଆ ବଦଳରେ ଆମୋନିଅମ୍ ସଲ୍ଫେଟ୍ ବ୍ୟବହାର କରିବା ପାଇଁ ପରାମର୍ଶ ଦେଉଛନ୍ତି। ଏହି ପରାମର୍ଶ ହିଁ ପ୍ରମାଣ କରୁଛି ଯେ ରାଜ୍ୟରେ ସାରର ପ୍ରବଳ ଅଭାବ ରହିଛି। ସରକାରଙ୍କୁ କଟାକ୍ଷ କରି କଂଗ୍ରେସ ବିଧାୟକ କହିଛନ୍ତି, “ରାଜ୍ୟରେ ଚାଲିଥିବା ଡବଲ ଇଞ୍ଜିନ ସରକାର ଏବେ ଚାଷୀଙ୍କୁ ଡବଲ ମିଛ କହୁଛି।” ଯଦି ବାସ୍ତବରେ ସାରର କୌଣସି ଅଭାବ ନଥିଲା, ତେବେ କୃଷି ବିଭାଗ କାହିଁକି ଚାଷୀଙ୍କୁ ବିକଳ୍ପ ସାର ବ୍ୟବହାର କରିବାକୁ କହୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହା ସହିତ ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାରେ ଚାଷୀଙ୍କୁ ମାପିଚୁପି ବା ସୀମିତ ପରିମାଣରେ ସାର ବଣ୍ଟନ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଚାଷ ସମୟରେ ସାର ନମିଳିବା କାରଣରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାର ମିଛ ସ୍ପଷ୍ଟୀକରଣ ନଦେଇ ତୁରନ୍ତ ଚାଷୀଙ୍କୁ ଆବଶ୍ୟକ ମୁତାବକ ୟୁରିଆ ସାର ଯୋଗାଇ ଦେବାକୁ ତାରା ବାହିନୀପତି ଦାବି କରିଛନ୍ତି।




