କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବରିଷ୍ଠ ବିଜେପି ନେତା ଫକୀର ରାଣାଙ୍କୁ ନୃଶଂସ ଭାବେ ହତ୍ୟା କରାଯିବା ଘଟଣାରେ ପୁଲିସ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ସାଂଘାତିକ ହତ୍ୟାକାଣ୍ଡ ସହ ସଂପୃକ୍ତି ଅଭିଯୋଗରେ ପୁଲିସ ୨ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଫରାର ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଛାନଭିନ୍ ଜାରି ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ବୁଧବାର ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଦମ କର୍ଲାଖୁଣ୍ଟା ସରପଞ୍ଚ ସ୍ନିଗ୍ଧା ରାଣାଙ୍କ ସ୍ୱାମୀ ତଥା ବିଜେପି ନେତା ଫକୀର ରାଣା ମଦନପୁର ରାମପୁର ଥାନା ଅନ୍ତର୍ଗତ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଧାରୁଆ ଛୁରୀରେ ବାରମ୍ବାର ଆକ୍ରମଣ କରି ଘଟଣାସ୍ଥଳରୁ ଫରାର ହୋଇଯାଇଥିଲେ।
ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଫକୀରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ମୃତକଙ୍କ ସ୍ୱାମୀ ତଥା ସରପଞ୍ଚ ସ୍ନିଗ୍ଧା ରାଣା କର୍ଲାଖୁଣ୍ଟା ଗ୍ରାମର ୪ ଜଣ ବ୍ୟକ୍ତିଙ୍କ ବିରୋଧରେ ହତ୍ୟାକାଣ୍ଡର ସୀଧାସଳଖ ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା।
ସରପଞ୍ଚଙ୍କ ଦ୍ୱାରା ନାମିତ ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଫରାର ଥିବା ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।




