ନୂଆଦିଲ୍ଲୀ: ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ UPI ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ, ଏବେ ଏହାର ବୃଦ୍ଧି ହାରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। UPI ଟ୍ରାଞ୍ଜାକ୍ସନ୍ ସଂଖ୍ୟା ବଢ଼ୁଥିଲେ ହେଁ, ପୂର୍ବବର୍ଷ ତୁଳନାରେ ଏହାର ବୃଦ୍ଧି ରଫ୍ତାର କିଛିଟା ଧିମା ହୋଇଛି। ଏହି ସମୟରେ UPI ଉପରେ MDR ଲାଗୁ କରିବା ନେଇ ଚର୍ଚ୍ଚା ପୁଣି ଜୋର ଧରିଛି।
UPI ବୃଦ୍ଧି ହାରରେ ନରମପଣ
ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ର ତଥ୍ୟ ଅନୁସାରେ, ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ୪ ମାସ (ଏପ୍ରିଲରୁ ଜୁଲାଇ) ମଧ୍ୟରେ UPIରେ ପ୍ରାୟ ୯୨ ବିଲିୟନ୍ ଟ୍ରାଞ୍ଜାକ୍ସନ୍ ହୋଇଛି। ଏହି ସଂଖ୍ୟା ଗତବର୍ଷର ସମାନ ସମୟର ୭୪.୫ ବିଲିୟନ୍ ତୁଳନାରେ ୨୩.୫ ପ୍ରତିଶତ ଅଧିକ। ତେବେ ଗତବର୍ଷ ଏହି ବୃଦ୍ଧି ହାର ୩୩.୫ ପ୍ରତିଶତ ଥିଲା। ଏଥିରୁ ସ୍ପଷ୍ଟ ଯେ UPI ବ୍ୟବହାର ବଢ଼ୁଥିଲେ ବି ଏହାର ବୃଦ୍ଧି ଗତିରେ କିଛିଟା ମନ୍ଥରତା ଆସିଛି।
ବର୍ତ୍ତମାନ ଦେଶର ମୋଟ ଡିଜିଟାଲ ଟ୍ରାଞ୍ଜାକ୍ସନ୍ର ପ୍ରାୟ ୮୮ ପ୍ରତିଶତ UPI ମାଧ୍ୟମରେ ହେଉଛି। ପ୍ରତିମାସରେ ୨୩ ବିଲିୟନ୍ରୁ ଅଧିକ ଟ୍ରାଞ୍ଜାକ୍ସନ୍ ହେଉଥିବା ବେଳେ ଏହାର ମୋଟ ମୂଲ୍ୟ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କା ରହୁଛି।
MDR ଲାଗୁ ନେଇ ଜୋରଧରିଲା ଚର୍ଚ୍ଚା
୨୦୨୦ରୁ UPI ଉପରେ ‘ଜିରୋ MDR’ ବ୍ୟବସ୍ଥା ଲାଗୁ ରହିଛି, ଯାହାଫଳରେ ବ୍ୟବସାୟୀଙ୍କଠାରୁ କୌଣସି ଅତିରିକ୍ତ ଶୁଳ୍କ ନିଆଯାଉନାହିଁ। ମାତ୍ର ଫିନଟେକ୍ କମ୍ପାନୀଗୁଡ଼ିକର ଯୁକ୍ତି ହେଉଛି ଯେ, ନିର୍ଦ୍ଦିଷ୍ଟ ରେଭେନ୍ୟୁ ମଡେଲ୍ ନଥିବାରୁ UPI ଇକୋସିଷ୍ଟମ୍ରେ ଅଧିକ ବିନିଯୋଗ କରିବା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରୁଛି।
ଅଗଷ୍ଟ ୬ ତାରିଖରେ ଲୋକସଭାରେ Taxation and Other Laws (Amendment) Bill, 2026 ପାରିତ ହେବା ପରେ, ବଡ଼ ମର୍ଚ୍ଚାଣ୍ଟଙ୍କ ହାଇ-ଭାଲ୍ୟୁ UPI ଟ୍ରାଞ୍ଜାକ୍ସନ୍ ଉପରେ ୦.୨୫ରୁ ୦.୩୦ ପ୍ରତିଶତ ପର୍ଯ୍ୟନ୍ତ MDR ଲାଗୁ ହେବା ସମ୍ଭାବନାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦି ଏହି ଶୁଳ୍କ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୁଏ, ତେବେ ଏହାର ସିଧାସଳଖ ପ୍ରଭାବ ବ୍ୟାଙ୍କ, ଫିନଟେକ୍ କମ୍ପାନୀ, ବ୍ୟବସାୟୀ ଏବଂ ସମଗ୍ର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଉପରେ ପଡ଼ିବ।




