ଭବାନୀପାଟଣା: ଭବାନୀପାଟଣା ଆର୍ ଆଣ୍ଡ୍ ବି ଡିଭିଜନର ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ସମୟରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ତଦନ୍ତ ସମୟରେ ତାଙ୍କ ଏବଂ ପରିବାର ସଦସ୍ୟଙ୍କ ନାମରେ ୩୩ଟି ପ୍ଲଟ୍, ୪ଟି ବହୁମହଲା କୋଠା, ୯ ଏକରରୁ ଅଧିକ ଜମିରେ ଫାର୍ମହାଉସ୍ ଏବଂ ଗୋଟିଏ ମାର୍କେଟ୍ କମ୍ପ୍ଲେକ୍ସ ଥିବା ଜଣାପଡ଼ିଛି।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭବାନୀପାଟଣା ସହରର ଗୋସାଣିମୁଣ୍ଡାରେ ପ୍ରାୟ ୪୫୦୦ ବର୍ଗଫୁଟ ଅଞ୍ଚଳ ଜୁଡ଼ି ଏକ ଦ୍ୱିତଳ କୋଠା ଠାବ ହୋଇଛି। ସେହିପରି କୋକସରାର କୁସୁମଖୁଣ୍ଟିରେ ୨୬୨୫ ବର୍ଗଫୁଟ ଅଞ୍ଚଳର ଆଉ ଏକ ଦ୍ୱିତଳ କୋଠା ମଧ୍ୟ ରହିଛି। କୋକସରାର ମୋଟେର ଛକରେ ନିର୍ମାଣାଧୀନ ଦୁଇ ମହଲା କୋଠା ସହିତ ୮ଟି କ୍ୟାବିନ୍ ବିଶିଷ୍ଟ ଏକ ମାର୍କେଟ୍ କମ୍ପ୍ଲେକ୍ସ ମଧ୍ୟ ଭିଜିଲାନ୍ସ ଠାବ କରିଛି।
ଏହାଛଡ଼ା ଭବାନୀପାଟଣା ନିକଟସ୍ଥ କିଟପଦର ଅଞ୍ଚଳରେ ପ୍ରାୟ ୯ ଏକର ଜମି ଉପରେ ବିସ୍ତାରିତ ଫାର୍ମହାଉସ୍ ଥିବା ସୂଚନା ମିଳିଛି। ଭବାନୀପାଟଣା, କୋକସରା, ଦ୍ୱାରସୁଣୀ, କିଟପଦର, କୁଟେନପଦର ଓ ତାଲାବେଲାଗାଁ ଅଞ୍ଚଳରେ ମୋଟ ୩୩ଟି ପ୍ଲଟ୍ ଠାବ ହୋଇଛି। ଏହି ସମସ୍ତ ଜମିର କ୍ଷେତ୍ରଫଳ ପ୍ରାୟ ୩୯.୬୪ ଡିସିମିଲ୍ ହେବ ବୋଲି ଜଣାପଡ଼ିଛି।
ଭିଜିଲାନ୍ସ ଅଧିକାରୀମାନେ ବର୍ତ୍ତମାନ କୋଠା, ଫାର୍ମହାଉସ୍, ମାର୍କେଟ୍ କମ୍ପ୍ଲେକ୍ସ ଓ ପ୍ଲଟ୍ଗୁଡ଼ିକର ମୂଲ୍ୟାୟନ କରୁଛନ୍ତି। ଏହାସହ ବ୍ୟାଙ୍କ ଜମା, ଡାକଘର ସଞ୍ଚୟ, ଅନ୍ୟାନ୍ୟ ନିବେଶ ଓ ଆର୍ଥିକ ସମ୍ପତ୍ତିର ତଥ୍ୟ ମଧ୍ୟ ଯାଞ୍ଚ ହେଉଛି। ଚଢ଼ାଉ ସମୟରେ ଏକ ହୁଣ୍ଡାଇ କ୍ରେଟା ଚାରିଚକିଆ ଯାନ ମଧ୍ୟ ଠାବ ହୋଇଛି।
ଭିଜିଲାନ୍ସ ପକ୍ଷରୁ ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ତଦନ୍ତ ଜାରି ରହିଛି।




