ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ଉଭୟ ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। NEET ପେପର ଲିକ୍ ଘଟଣା ଏବଂ CJP ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଲାଠିଚାର୍ଜ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିବାରୁ ଗୃହ କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ଫଳରେ ଉଭୟ ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା।
ଲୋକସଭାରେ ଅଧ୍ୟକ୍ଷତା କରୁଥିବା ଦିଲୀପ ସାଇକିଆ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରି ଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ, ସଂସଦକୁ ବ୍ୟାନର, ପୋଷ୍ଟର କିମ୍ବା କଳା ପୋଷାକ ପିନ୍ଧି ଆସିବା ସଂସଦୀୟ ପରମ୍ପରା ଓ ନିୟମର ବିରୋଧୀ। “ସମଗ୍ର ଦେଶ ସଂସଦର କାର୍ଯ୍ୟକଳାପ ଦେଖୁଛି, ତେଣୁ ସମସ୍ତେ ଶୃଙ୍ଖଳା ବଜାୟ ରଖନ୍ତୁ” ବୋଲି ସେ କହିଥିଲେ।
ସେହିପରି ରାଜ୍ୟସଭାରେ ଉପସଭାପତି ହରିବଂଶ ନାରାୟଣ ସିଂହ ମଧ୍ୟ ବିରୋଧୀ ସଦସ୍ୟଙ୍କୁ ହଙ୍ଗାମା ବନ୍ଦ କରି ଗୃହକାର୍ଯ୍ୟ ଚାଲିବାକୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ତେବେ ହୋହଲ୍ଲା ଜାରି ରହିବାରୁ ରାଜ୍ୟସଭାର କାର୍ଯ୍ୟ ମଧ୍ୟ ମୁଲତବୀ କରାଯାଇଥିଲା।
ଗୃହ ବାରମ୍ବାର ମୁଲତବୀ ହେବାକୁ ନେଇ ବିଜେପି ସାଂସଦ ଜଗଦମ୍ବିକା ପାଲ ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି, ସଂସଦ ଚଳାଇବା ପ୍ରତି ବିରୋଧୀ ଦଳର କୌଣସି ଆଗ୍ରହ ନାହିଁ। ଲଗାତାର ହଙ୍ଗାମା କରି ସେମାନେ ଜନସାଧାରଣଙ୍କ କଷ୍ଟାର୍ଜିତ ଅର୍ଥର ଅପଚୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ, ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ କିଛି ବିରୋଧୀ ସାଂସଦ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟି CJP ଆନ୍ଦୋଳନ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ଗୃହରେ ଆଲୋଚନା ପାଇଁ ଅନୁମତି ମାଗିଥିଲେ। ତେବେ ଏଥିପାଇଁ ଅନୁମତି ମିଳିନଥିବା ଜଣାପଡ଼ିଛି।
ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହଙ୍କ ସମେତ ବିରୋଧୀ ସଦସ୍ୟମାନେ ସଂସଦ ଭବନ ବାହାରେ ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ସ୍ଲୋଗାନ ଦେଇ ପ୍ରତିବାଦ ଜଣାଇଥିଲେ। ଫଳରେ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ମଧ୍ୟ ଅଚଳାବସ୍ଥା ମଧ୍ୟରେ ଶେଷ ହୋଇଛି।




