ନୂଆଦିଲ୍ଲୀ: ତାମିଲନାଡ଼ୁରେ ସରକାର ଗଠନକୁ ନେଇ ରାଜନୈତିକ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ଟିଭିକେ (ତାମିଲଗା ଭେଟ୍ରି କାଝାଗମ) ମୁଖ୍ୟ ବିଜୟ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଜୋରଦାର ପ୍ରୟାସ ଚାଲାଇଥିବାବେଳେ, ଏଆଇଏଡିଏମ୍କେର କିଛି ବିଧାୟକଙ୍କ ସହ ଦଳର ଆଲୋଚନା ଆରମ୍ଭ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଏଆଇଏଡିଏମ୍କେର ୨୮ ଜଣ ବିଧାୟକଙ୍କୁ ପୁଡୁଚେରୀର ଏକ ଘରୋଇ ରିସୋର୍ଟରେ ରଖାଯାଇଛି। ସେମାନେ ବରିଷ୍ଠ ଏଆଇଏଡିଏମ୍କେ ନେତା ସିଭି ଶାନମୁଗମଙ୍କ ସମର୍ଥକ ବୋଲି କୁହାଯାଉଛି। ଏହାପରେ ତାମିଲନାଡ଼ୁ ରାଜନୀତିରେ ମେଣ୍ଟ ସରକାର ଗଠନକୁ ନେଇ ଚର୍ଚ୍ଚା ଜୋର ଧରିଛି।
ରାଜନୈତିକ ସୂତ୍ର ଅନୁଯାୟୀ, ଟିଭିକେ ପକ୍ଷରୁ ସିଭି ଶାନମୁଗମଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ସହ କିଛି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଅଫର୍ କରାଯାଇଥିବା ଦାବି ହେଉଛି। ପୂର୍ବତନ ମନ୍ତ୍ରୀ ଏବଂ ଟିଭିକେ ପ୍ରାର୍ଥୀ କେଏ ସେଙ୍ଗୋଟେୟାନ ଏହି ଆଲୋଚନାରେ ସକ୍ରିୟ ଭୂମିକା ନେଇଥିବା ସୂଚନା ମିଳିଛି।
ଏହି ପ୍ରସଙ୍ଗକୁ ନେଇ ଏଆଇଏଡିଏମ୍କେ ମଧ୍ୟରେ ମତଭେଦ ସ୍ପଷ୍ଟ ହୋଇପଡ଼ିଛି। ଦଳର ସାଧାରଣ ସମ୍ପାଦକ ଇକେ ପଲାନିସ୍ୱାମୀ ଟିଭିକେକୁ ସମର୍ଥନ ଦେବା ପକ୍ଷରେ ନଥିବାବେଳେ, ସିଭି ଶାନମୁଗମ ଓ ଓଏସ୍ ମାନିୟନଙ୍କ ଭଳି କିଛି ନେତା ମେଣ୍ଟ ସରକାର ପାଇଁ ଆଗ୍ରହୀ ଥିବା କୁହାଯାଉଛି।
ଏହି ସମୟରେ କିଛି ବରିଷ୍ଠ ନେତା ଟିଭିକେକୁ ଆଇନଗତ ଉପାୟ ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିବା ସୂଚନା ମଧ୍ୟ ମିଳିଛି। ଏହା ଦଳୀୟ ଭିତ୍ତିରେ ଆହୁରି ମତଭେଦ ସୃଷ୍ଟି କରିଛି।
ସରକାର ଗଠନ ନେଇ ଅନିଶ୍ଚିତତା ଜାରି ରହିଥିବାବେଳେ, ଏଆଇଏଡିଏମ୍କେ ସାଧାରଣ ସମ୍ପାଦକ ଇକେ ପଲାନିସ୍ୱାମୀ ପୁଡୁଚେରୀରେ ରହୁଥିବା ବିଧାୟକମାନଙ୍କ ସହ ଭେଟି ଆଲୋଚନା କରିଥିବା ଜଣାପଡ଼ିଛି। ତାମିଲନାଡ଼ୁରେ ଆଗାମୀ କିଛି ଦିନ ମଧ୍ୟରେ ରାଜନୀତିକ ସମୀକରଣ ଆହୁରି ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି।




