କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏକ ଅଭୂତପୂର୍ବ ସାମ୍ବିଧାନିକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପରାଜିତ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସ୍ତଫା ଦେବାକୁ ମନା କରିଥିବା ଚର୍ଚ୍ଚା ରାଜନୈତିକ ମହଳରେ ତୀବ୍ର ହୋଇଛି। ଏହାକୁ ନେଇ ରାଜ୍ୟରେ ଏକ ଅସାମାନ୍ୟ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବା ସମ୍ଭାବନା ଦେଖାଯାଉଛି।

ସାଧାରଣତଃ ନିର୍ବାଚନୀ ପରାଜୟ ପରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇ ନୂତନ ସରକାର ଗଠନ ପର୍ଯ୍ୟନ୍ତ ତତ୍ତ୍ୱାବଧାୟକ ଭାବେ କାମ କରନ୍ତି। କିନ୍ତୁ ମମତା ବାନାର୍ଜୀ ନିର୍ବାଚନ ଫଳାଫଳକୁ ଷଡ଼ଯନ୍ତ୍ରର ଫଳ ବୋଲି ଅଭିଯୋଗ କରି ଇସ୍ତଫା ନଦେବା ମନୋଭାବ ନେଇଥିବା ସୂଚନା ମିଳିଛି।

ଗୁରୁବାର ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ବିଧାନସଭାର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ, ଏହା ପରେ ରାଜ୍ୟରେ ଆଇନଗତ ଶୂନ୍ୟସ୍ଥାନ ସୃଷ୍ଟି ହେବା ଆଶଙ୍କା କରାଯାଉଛି। ଏବେ ପ୍ରଶ୍ନ ଉଠିଛି ଯେ, ରାଜ୍ୟପାଳ ମମତା ସରକାରକୁ ବରଖାସ୍ତ କରିବେ କି ନା କିଛି ସମୟ ପାଇଁ ରାଷ୍ଟ୍ରପତି ଶାସନ ଜାରି ହେବ।

ସାମ୍ବିଧାନିକ ବିଶେଷଜ୍ଞମାନଙ୍କ ମତାନୁସାରେ, ସମ୍ବିଧାନର ଧାରା ୧୬୪ ଅନୁଯାୟୀ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଇଚ୍ଛା ପର୍ଯ୍ୟନ୍ତ ପଦରେ ରହନ୍ତି। ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ସହିତ ସଂଖ୍ୟାଗରିଷ୍ଠତା ନଥିଲେ ରାଜ୍ୟପାଳ ତାଙ୍କୁ ବରଖାସ୍ତ କରିପାରିବେ। ଆଇନ ବିଶେଷଜ୍ଞ ଫୈଜାନ ମୁସ୍ତାଫା ଓ ପିଡିଟି ଆଚାର୍ଯ୍ୟଙ୍କ ମତରେ, ଇସ୍ତଫା ନ ଦେଲେ ମଧ୍ୟ ରାଜ୍ୟପାଳଙ୍କ ପାଖରେ ସରକାରକୁ ହଟାଇବାର ଅଧିକାର ରହିଛି।

ଅନ୍ୟପଟେ, ବିଜେପି ୯ ମେ’ରେ ନୂତନ ସରକାରର ଶପଥ ଗ୍ରହଣ ଉତ୍ସବ କରିବାକୁ ଯୋଜନା କରିଥିବାରୁ ୮ ମେ’ରେ ରାଜ୍ୟରେ ସରକାରୀ ଶୂନ୍ୟସ୍ଥାନ ସୃଷ୍ଟି ହେବା ଆଶଙ୍କା ବଢ଼ିଛି। ଏପରି ପରିସ୍ଥିତିରେ କିଛି ସମୟ ପାଇଁ ରାଷ୍ଟ୍ରପତି ଶାସନ ଜାରି ହେବା ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କ ମତାନୁସାରେ, ଯଦି ମଧ୍ୟରାତ୍ରି ସୁଦ୍ଧା ଇସ୍ତଫା ପତ୍ର ଦାଖଲ ନହୁଏ, ତେବେ ରାଜ୍ୟପାଳ ପ୍ରଶାସନିକ ନିରନ୍ତରତା ରକ୍ଷା ପାଇଁ ଅସ୍ଥାୟୀ ରାଷ୍ଟ୍ରପତି ଶାସନ ସୁପାରିଶ କରିପାରନ୍ତି। ଏହା କେବଳ ନୂତନ ସରକାର ଶପଥ ନେବା ପର୍ଯ୍ୟନ୍ତ ଜାରି ରହିପାରେ।

ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ନବନିର୍ବାଚିତ ବିଧାୟକମାନଙ୍କ ତାଲିକା ରାଜ୍ୟପାଳଙ୍କୁ ଦେଇସାରିଛନ୍ତି। ବିଜେପି ସ୍ପଷ୍ଟ ବହୁମତ ହାସଲ କରିଥିବାରୁ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ରାଜ୍ୟପାଳ ଦଳର ନେତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବେ।

ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି ଯେ, ମହାରାଷ୍ଟ୍ରର ଉଦ୍ଧବ ଠାକରେ ମାମଲାରୁ ମମତା ବାନାର୍ଜୀ ଶିକ୍ଷା ନେଇଥିବାରୁ ସେ ଇସ୍ତଫା ଶବ୍ଦକୁ ଏଡ଼ାଇବାକୁ ଚାହୁଁଛନ୍ତି। ତାଙ୍କୁ ବରଖାସ୍ତ କରାଯାଇଥିଲା ବୋଲି ରାଜନୈତିକ ଭାବେ ପ୍ରଚାର କରିବା ତାଙ୍କର ଭବିଷ୍ୟତ ରଣନୀତିର ଅଂଶ ହୋଇପାରେ ବୋଲି ବିଶ୍ଳେଷକମାନେ କହୁଛନ୍ତି।

ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଭବନରେ ଚଳଚଞ୍ଚଳ ବଢ଼ିଛି। ରାଜ୍ୟପାଳ ସାମ୍ବିଧାନିକ ପରାମର୍ଶଦାତାଙ୍କ ସହ ଆଲୋଚନା କରୁଥିବାବେଳେ ରାଜ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତି ନ ହେଉ ଭାବେ ପୁଲିସ ଓ ପ୍ରଶାସନକୁ ସତର୍କ ରଖାଯାଇଛି।