କିନ୍‌ସାସା: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲାର ନୂଆ ବୁଣ୍ଡିବୁଗୟୋ ଷ୍ଟ୍ରେନ୍‌ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିବା ବେଳେ ଏହାକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ବଢ଼ିଛି। ଏପର୍ଯ୍ୟନ୍ତ ୯୦୬ରୁ ଅଧିକ ସନ୍ଦିଗ୍ଧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରୋଗର ଉଚ୍ଚ ମୃତ୍ୟୁହାର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି। ଉପଲବ୍ଧ ତଥ୍ୟ ଅନୁଯାୟୀ, ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୩୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଲୋକଙ୍କ ମୃତ୍ୟୁ ଘଟୁଛି।

ଟିକା ନଥିବାରୁ ବଢ଼ୁଛି ଚିନ୍ତା

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ବର୍ତ୍ତମାନ ଏହି ନୂଆ ଷ୍ଟ୍ରେନ୍‌ ପାଇଁ କୌଣସି ପ୍ରଭାବଶାଳୀ ଟିକା ଉପଲବ୍ଧ ନଥିବାରୁ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼ିଛି। କଙ୍ଗୋରେ ଇବୋଲା ସଂକ୍ରମଣ ସହ ଜଡିତ ୨୨୩ଟି ସନ୍ଦିଗ୍ଧ ମୃତ୍ୟୁ ରେକର୍ଡ ହୋଇଥିବାବେଳେ ସରକାରୀ ଭାବେ ୧୨୫ ଜଣଙ୍କ ମୃତ୍ୟୁ ନିଶ୍ଚିତ କରାଯାଇଛି।

ଘନ ଜନବସତି ଅଞ୍ଚଳରେ ବ୍ୟାପୁଛି ସଂକ୍ରମଣ

ଇଟୁରି, ଉତ୍ତର କିଭୁ ଓ ଦକ୍ଷିଣ କିଭୁ ଭଳି ଘନ ଜନବସତିପୂର୍ଣ୍ଣ ଅଞ୍ଚଳରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ଏହି ଅଞ୍ଚଳଗୁଡ଼ିକରେ କମ୍‌ ସେ କମ୍‌ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କଙ୍ଗୋ ସହ ପଡ଼ୋଶୀ ଉଗାଣ୍ଡାରେ ମଧ୍ୟ ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି।

ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଘନ ଜନସଂଖ୍ୟା ଥିବା ଅଞ୍ଚଳରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରି ଅଲଗା କରିବା କ୍ରମଶଃ କଷ୍ଟସାଧ୍ୟ ହେଉଛି, ଯାହା ସଂକ୍ରମଣ ନିୟନ୍ତ୍ରଣରେ ବଡ଼ ବାଧା ସୃଷ୍ଟି କରୁଛି।

ପ୍ରାରମ୍ଭିକ ଚିକିତ୍ସାରେ କମିପାରେ ମୃତ୍ୟୁହାର

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀ ଆନାଇସ୍ ଲେଗ୍ରାଣ୍ଡଙ୍କ ଅନୁଯାୟୀ, ପ୍ରତି ୧୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ତେବେ ସମୟୋଚିତ ଚିକିତ୍ସା, ପ୍ରାରମ୍ଭିକ ଯତ୍ନ ଏବଂ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଗଲେ ମୃତ୍ୟୁହାରକୁ ଉଲ୍ଲେଖନୀୟ ଭାବେ କମାଇ ହେବ ବୋଲି ସେ କହିଛନ୍ତି।

ଲୋକଙ୍କ ମଧ୍ୟରେ ଭୟ

ନୂଆ ଷ୍ଟ୍ରେନ୍‌ର ଦ୍ରୁତ ସଂକ୍ରମଣ, ଉଚ୍ଚ ମୃତ୍ୟୁହାର ଓ ଟିକାର ଅଭାବ ଯୋଗୁଁ କଙ୍ଗୋ ଏବଂ ଆଖପାଖ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକ ସଂକ୍ରମଣ ରୋକିବା ପାଇଁ ନିରୀକ୍ଷଣ, ଚିକିତ୍ସା ଓ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି।