କିନ୍‌ସାସା: ପୂର୍ବ କଙ୍ଗୋରେ ଇବୋଲା ସଂକ୍ରମଣ ଦ୍ରୁତ ଭାବେ ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ୧୩୧ରେ ପହଞ୍ଚିଛି। ଏଥିସହିତ ୫୧୩ଟି ସନ୍ଦିଗ୍ଧ ମାମଲା ରିପୋର୍ଟ ହୋଇଥିବା ସୂଚନା ଦେଇଛନ୍ତି କଙ୍ଗୋର ଜନସ୍ୱାସ୍ଥ୍ୟ ମନ୍ତ୍ରୀ ସାମୁଏଲ୍‌ ରୋଜର କାମ୍ବା। ସରକାରଙ୍କ ବିଳମ୍ବିତ ପ୍ରତିକ୍ରିୟାକୁ ନେଇ ଆଲୋଚନା ମଧ୍ୟରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ରିପୋର୍ଟ ହୋଇଥିବା ମୃତ୍ୟୁଗୁଡ଼ିକ ସନ୍ଦେହଜନକ ଅଟେ ଏବଂ ସେଗୁଡ଼ିକ ଇବୋଲା ସହ ସଂପୃକ୍ତ କି ନୁହେଁ ତାହା ନିର୍ଣ୍ଣୟ ପାଇଁ ତଦନ୍ତ ଚାଲିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରବିବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏହି ପ୍ରକୋପକୁ “ଅନ୍ତର୍ଜାତୀୟ ଚିନ୍ତାର ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି” ଭାବେ ଘୋଷଣା କରିଥିଲା।

ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଅନୁସାରେ, ଏହି ପ୍ରକୋପ ବୁଣ୍ଡିବୁଗ୍ୟୋ ଭାଇରସ୍‌ ଯୋଗୁଁ ସୃଷ୍ଟି ହୋଇଛି। ଏହା ଇବୋଲାର ଏକ ଦୁର୍ଲଭ ଭାରିଆଣ୍ଟ ଯାହା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅନୁମୋଦିତ ଟୀକା କିମ୍ବା ଚିକିତ୍ସା ନାହିଁ। ଶୁକ୍ରବାର ଦିନ ଏହି ଭାରିଆଣ୍ଟ ପ୍ରଥମେ ନିଶ୍ଚିତ ହୋଇଥିଲା।

କଙ୍ଗୋ ଏବଂ ଉଗାଣ୍ଡାରେ ଏପର୍ଯ୍ୟନ୍ତ ୨୦ରୁ ଅଧିକ ଥର ଇବୋଲା ପ୍ରକୋପ ଦେଖାଦେଇଥିବା ବେଳେ, ବୁଣ୍ଡିବୁଗ୍ୟୋ ଭାଇରସ୍‌ ତୃତୀୟ ଥର ପାଇଁ ଚିହ୍ନଟ ହୋଇଛି। ଉତ୍ତର କିଭୁ ଅଞ୍ଚଳର ବିଦ୍ରୋହୀ ପ୍ରଭାବିତ ସହର ଗୋମା, ମୋଙ୍ଗବାଲୁ, ବୁଟେମ୍ବୋ, ନାଇକୁଣ୍ଡେ ଏବଂ ବୁନିଆରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଡବ୍ଲୁଏଚ୍‌ଓର ମହାନିର୍ଦ୍ଦେଶକ Tedros Adhanom Ghebreyesus ଜେନେଭାରେ କହିଛନ୍ତି ଯେ, ଏହି ମହାମାରୀ ଦ୍ରୁତ ଭାବେ ସଂକ୍ରମିତ ହେଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ମହଳ ଚିନ୍ତିତ ଅଛି। ପରିସ୍ଥିତିର ସମୀକ୍ଷା ଓ ପରାମର୍ଶ ପାଇଁ ଜାତିସଂଘ ସ୍ୱାସ୍ଥ୍ୟ ସଂସ୍ଥା ଜରୁରୀକାଳୀନ କମିଟି ବୈଠକ ଡାକିବାକୁ ଯାଉଛି।