ତେହେରାନ: ସ୍ୱିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ପ୍ରତିନିଧି ଦଳ ମଧ୍ୟରେ ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ବୈଠକ ସ୍ଥଗିତ ରହିଛି। ଆଗାମୀ ଦିନରେ ଏହି ବୈଠକ ପାଇଁ ଯୋଜନା ପ୍ରସ୍ତୁତ ଚାଲିଥିବା ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ ସୂଚନା ଦେଇଛନ୍ତି। ମଧ୍ୟସ୍ଥିମାନଙ୍କ ଜରିଆରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ପରାମର୍ଶ ଜାରି ରହିଛି ଏବଂ ସ୍ଥିତି ଅନୁକୂଳ ହେବା ପରେ ନୂତନ ତାରିଖ ଘୋଷଣା କରାଯିବ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଇଲେକ୍ଟ୍ରୋନିକ ମାଧ୍ୟମରେ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିସାରିଥିବାରୁ ଏହି ବୈଠକର ତତ୍କାଳ ଆବଶ୍ୟକତା କମିଯାଇଛି। ନୂତନ ଏମଓୟୁ ଅନୁଯାୟୀ, ଆଲୋଚନା ଆରମ୍ଭ ହେବା ପୂର୍ବରୁ ଲେବାନନ ସମେତ ସମସ୍ତ ସାମ୍ମୁଖ୍ୟରେ ଯୁଦ୍ଧ ବନ୍ଦ ହେବା ଆବଶ୍ୟକ। ଏହାସହ ଆମେରିକାର ନୌସେନା ଅବରୋଧ ହଟିବା, ୬୦ ଦିନ ପାଇଁ ହରମୁଜ ପ୍ରଣାଳୀ ଦେଇ ମାଗଣାରେ ଜାହାଜ ଚଳାଚଳ ସୁବିଧା, ଇରାନର ଅଶୋଧିତ ତୈଳ ରପ୍ତାନି ଉପରୁ କଟକଣା କୋହଳ ଏବଂ ଜବତ ସମ୍ପତ୍ତି ମୁକ୍ତ କରିବା ଭଳି ସର୍ତ୍ତ ରହିଛି।ଆଇଏଇଏ (IAEA) କୁ ସମସ୍ତ ପରମାଣୁ ପ୍ରକଳ୍ପ ଯାଞ୍ଚ ପାଇଁ ଇରାନ ନିମନ୍ତ୍ରଣ କରିଥିବା ଖବରକୁ ବାଘାଇ ପ୍ରତ୍ୟାଖ୍ୟାନ କରିଛନ୍ତି। ବର୍ତ୍ତମାନ କେବଳ ବୁଶେହର ପରମାଣୁ ବିଦ୍ୟୁତ କେନ୍ଦ୍ର ଭଳି ସୀମିତ ସ୍ଥାନରେ ହିଁ ଯାଞ୍ଚ ଅନୁମତି ମିଳିବ।

ଚଳିତ ବର୍ଷ ଫେବୃଆରୀ ୨୮ରେ ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ତେହେରାନ ଉପରେ ଆକ୍ରମଣ କରିଥିଲେ। ଏହାର ଜବାବରେ ଇରାନ ମଧ୍ୟ କ୍ଷେପଣାସ୍ତ୍ର ମାଡ଼ କରିବା ସହ ହରମୁଜ ପ୍ରଣାଳୀରେ ଆମେରିକା-ଇସ୍ରାଏଲ ଜାହାଜ ଚଳାଚଳ ଉପରେ କଟକଣା ଲଗାଇଥିଲା। ବର୍ତ୍ତମାନ ପାକିସ୍ତାନ ଓ କତାରର ମଧ୍ୟସ୍ଥତାରେ ଯୁଦ୍ଧ ଶେଷ କରିବାକୁ ଏହି ପ୍ରୟାସ ଚାଲିଛି।