ତେହେରାନ୍: ଆମେରିକା ସହ ଚାଲିଥିବା ଯୁଦ୍ଧ ଓ ସାମରିକ ଉତ୍ତେଜନା ମଧ୍ୟରେ ଇରାନର ସାମରିକ ନେତୃତ୍ୱରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ସର୍ବୋଚ୍ଚ ନେତା ମୋଜତାବା ଖାମେନିଙ୍କ ନିର୍ଦ୍ଦେଶକ୍ରମେ ଦେଶର ସେନା ଓ ସୁରକ୍ଷା ବାହିନୀର ଶୀର୍ଷ ସ୍ତରରେ ନୂଆ ଅଫିସରମାନଙ୍କୁ ନିଯୁକ୍ତ କରାଯାଇଛି। ମୋଜତାବା ଖାମେନି ସର୍ବୋଚ୍ଚ ନେତା ଦାୟିତ୍ୱ ଗ୍ରହଣ କରିବା ପରେ ସାମରିକ ବିଭାଗରେ ଏହା ପ୍ରଥମ ବୃହତ୍ ପୁନର୍ଗଠନ ବୋଲି ସାମରିକ ବିଶ୍ଲେଷକମାନେ ମତପ୍ରକାଶ କରିଛନ୍ତି।
ଅଲି ଅବଦୋଲ୍ଲାହି ହେଲେ ସଶସ୍ତ୍ର ବାହିନୀର ନୂଆ ମୁଖ୍ୟ
ମେଜର ଜେନେରାଲ ଅଲି ଅବଦୋଲ୍ଲାହିଙ୍କୁ ଇରାନ ସଶସ୍ତ୍ର ବାହିନୀର ନୂଆ ପ୍ରଧାନ/ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବରୁ ଇରାନର ଗୁରୁତ୍ୱପୂର୍ଣ୍ଣ ‘ଖାତମ ଅଲ-ଆନବିୟା’ କେନ୍ଦ୍ରୀୟ ମୁଖ୍ୟାଳୟର ନେତୃତ୍ୱ ନେଉଥିଲେ। ଏହି ମୁଖ୍ୟାଳୟ ଇରାନର ବିଭିନ୍ନ ସାମରିକ ଶାଖା ମଧ୍ୟରେ ଅପରେସନ ଓ ଯୁଦ୍ଧ କୌଶଳର ସମନ୍ୱୟ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
ସେହିପରି ବ୍ରିଗେଡିୟର ଜେନେରାଲ ଅହମଦ ଭାହିଦିଙ୍କୁ ପଦୋନ୍ନତି ଦେଇ ମେଜର ଜେନେରାଲ କରାଯିବା ସହ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC)ର ନୂଆ କମାଣ୍ଡର ଭାବେ ଦାୟିତ୍ୱ ଦିଆଯାଇଛି।
ଆମେରିକା ଓ ସହଯୋଗୀ ଦେଶଗୁଡ଼ିକୁ କଡ଼ା ଚେତାବନୀ
ନୂଆ ସେନାମୁଖ୍ୟ ଅଲି ଅବଦୋଲ୍ଲାହି ଆମେରିକା ଓ ତା’ର ପାଶ୍ଚାତ୍ୟ ସହଯୋଗୀ ଦେଶଗୁଡ଼ିକ ପ୍ରତି ନିଜର ଆକ୍ରାତ୍ମକ ଆଭିମୁଖ୍ୟ ପାଇଁ ଜଣାଶୁଣା। ଚଳିତ ମାସ ଆରମ୍ଭରେ ସେ କ୍ଷେତ୍ରୀୟ ଦେଶଗୁଡ଼ିକୁ ଚେତାବନୀ ଦେଇ କହିଥିଲେ ଯେ, ଯେଉଁ ଦେଶଗୁଡ଼ିକ ଆମେରିକା ପାଇଁ ପ୍ରତିରକ୍ଷା ଢାଲ ଭାବେ କାର୍ଯ୍ୟ କରୁଛନ୍ତି, ସେମାନେ ମଧ୍ୟ ଏହି ଯୁଦ୍ଧର ସାଂଘାତିକ ପ୍ରଭାବରୁ ବର୍ତ୍ତି ପାରିବେ ନାହିଁ।
ସୁରକ୍ଷା ବ୍ୟବସ୍ଥା ମଜବୁତ କରିବାର ସଙ୍କେତ
ଏହି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିର ମାତ୍ର ଗୋଟିଏ ଦିନ ପୂର୍ବରୁ ପୂର୍ବତନ IRGC କମାଣ୍ଡର ମୋହସେନ ରେଜାଇଙ୍କୁ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ନୂଆ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିଲା।
ଯୁଦ୍ଧକାଳୀନ ପରିସ୍ଥିତି ମଧ୍ୟରେ ଇରାନ ନିଜର ସାମରିକ, ଗୁପ୍ତଚର ଓ ସୁରକ୍ଷା କ୍ଷେତ୍ରକୁ ଅଧିକ କଠୋର ଓ ସଂଘଠିତ କରୁଥିବା ଏହି ନୂତନ ନିଯୁକ୍ତିଗୁଡ଼ିକରୁ ସ୍ପଷ୍ଟ ସଙ୍କେତ ମିଳୁଛି।




