ଇସଲାମାବାଦ: ବଢ଼ୁଥିବା ଶକ୍ତି ଖର୍ଚ୍ଚ ଏବଂ ଇନ୍ଧନ ମୂଲ୍ୟ ଚାପ ମଧ୍ୟରେ ପାକିସ୍ତାନ ସରକାର ରାଜଧାନୀ ଇସଲାମାବାଦରେ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ନୂଆ କଟକଣା ଲାଗୁ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ବଜାର, ଦୋକାନ ଓ ସପିଂ ମଲ୍ଗୁଡ଼ିକୁ ରାତି ୮ଟା ସୁଦ୍ଧା ବନ୍ଦ କରିବା ବାଧ୍ୟତାମୂଳକ କରାଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଡେପୁଟି କମିସନର ଇରଫାନ ମେମନଙ୍କ ନେତୃତ୍ୱରେ ଏହି ଘୋଷଣା କରାଯାଇଛି। ସରକାର କହିଛନ୍ତି, ବିଦ୍ୟୁତ୍ ବ୍ୟବହାର ଓ ଶକ୍ତି ଖର୍ଚ୍ଚ କମାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ନୂଆ ନିୟମ ଅନୁଯାୟୀ, ରେଷ୍ଟୁରାଣ୍ଟ, ବେକରି, ତେଜରାତି ଦୋକାନ ଓ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିପାରିବ। ସେହିପରି ବିବାହ ହଲ୍, ମାର୍କି ଓ କାର୍ଯ୍ୟକ୍ରମ ସ୍ଥଳ ପାଇଁ ମଧ୍ୟ ରାତି ୧୦ଟା ସମୟସୀମା ନିର୍ଦ୍ଧାରଣ କରାଯାଇଛି।
ତେବେ କିଛି ଜରୁରୀ ସେବାକୁ ଏହି କଟକଣାରୁ ମୁକ୍ତ ରଖାଯାଇଛି। ଏଥିରେ ଔଷଧ ଦୋକାନ, ହସ୍ପିଟାଲ, ପେଟ୍ରୋଲ ପମ୍ପ, କ୍ଷୀର ଦୋକାନ, କ୍ରୀଡ଼ା ସୁବିଧା, କଲ୍ ସେଣ୍ଟର ଏବଂ ଆନ୍ତର୍ଜାତୀୟ ଗ୍ରାହକଙ୍କୁ ସେବା ଦେଉଥିବା ଆଇଟି କମ୍ପାନି ଅନ୍ତର୍ଭୁକ୍ତ ଅଛି।
ପ୍ରଶାସନ ମତାନୁସାରେ, ପଶ୍ଚିମ ଏସିଆର ଅସ୍ଥିରତା ଏବଂ ବିଶ୍ୱ ବଜାରରେ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶର ଶକ୍ତି ଖର୍ଚ୍ଚ ବଢ଼ିଛି। ପାକିସ୍ତାନ ତାହାର ଶକ୍ତି ଆବଶ୍ୟକତା ପୂରଣ ପାଇଁ ବାହ୍ୟ ଆମଦାନି ଉପରେ ଅଧିକ ନିର୍ଭରଶୀଳ ଥିବାରୁ ଏହି ଚାପ ଆହୁରି ବଢ଼ିଛି।
ଅନ୍ୟପଟେ ବ୍ୟବସାୟୀ ସଂଗଠନଗୁଡ଼ିକ ଏହି ପଦକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ, ପାକିସ୍ତାନରେ ଅଧିକାଂଶ ବଜାର ମଧ୍ୟାହ୍ନ ପରେ ସକ୍ରିୟ ହୋଇଥାଏ ଏବଂ ରାତି ପର୍ଯ୍ୟନ୍ତ ବ୍ୟବସାୟ ଚାଲିଥାଏ। ତେଣୁ ସମୟ ସୀମା କମିବା ଦ୍ୱାରା ବିକ୍ରିବଟା ପ୍ରଭାବିତ ହେବା ଆଶଙ୍କା ବଢ଼ିଛି।




