ୟୁକ୍ରେନ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଆହୁରି ଭୟାନକ ରୂପ ନେଇଛି। ଋଷୀୟ ସେନା ୟୁକ୍ରେନର କ୍ରିଭି ରୋହଠାରେ ଥିବା ଭାରତୀୟ ବଂଶୋଦ୍ଭବ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ‘ଆର୍ସେଲରମିତ୍ତଲ’ ଖଣି ଓ ଧାତବ କାରଖାନା ଉପରେ ସିଧାସଳଖ ମିସାଇଲ ଆକ୍ରମଣ କରିଛି। ଏହି ଆକ୍ରମଣରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି।

ୟୁକ୍ରେନର ଏହି ବୃହତ୍ତମ ସମନ୍ୱିତ ଇସ୍ପାତ କାରଖାନା ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ଏହାର ବ୍ଲାଷ୍ଟ-ଫର୍ଣ୍ଣେସ ଏବଂ ଶକ୍ତି ପରିଚାଳନା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। କ୍ଷତି ଅଧିକ ହୋଇଥିବାରୁ କାରଖାନାର କାର୍ଯ୍ୟକୁ ଆଂଶିକ ଭାବେ ବନ୍ଦ କରିବାକୁ ପଡ଼ିଛି।

ୟୁକ୍ରେନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଗତ କିଛି ଦିନ ହେବ ୟୁକ୍ରେନ ସେନା ଋଷ ଭୂଖଣ୍ଡ ଉପରେ ବିପୁଳ ପରିମାଣର ଡ୍ରୋନ୍ ଆକ୍ରମଣ କରିଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଋଷ ଏହି ଆକ୍ରମଣ କରିଛି।

ୟୁକ୍ରେନର ଡ୍ରୋନ୍ ଆକ୍ରମଣରେ ଋଷରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ରୋଷ୍ଟୋଭ୍‌ରେ ୧୫୦ରୁ ଅଧିକ ଡ୍ରୋନ୍ ଆକ୍ରମଣ ଯୋଗୁଁ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଏକ ରେଳ ଷ୍ଟେସନ କ୍ଷତିଗ୍ରସ୍ତ ହୋଇଛି। ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ସେମାନେ ରାତିସାରା ୮୨୨ଟି ଡ୍ରୋନ୍‌କୁ ନଷ୍ଟ କରିଦେଇଛନ୍ତି, ତଥାପି ଶହ ଶହ ଡ୍ରୋନ୍ ନିଜ ଲକ୍ଷ୍ୟସ୍ଥଳରେ ଆକ୍ରମଣ କରିବାରେ ସଫଳ ହୋଇଥିଲେ।

ଜେଲେନ୍‌ସ୍କିଙ୍କ ପ୍ରତିକ୍ରିୟା:

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଋଷର ଏହି ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ସେ ଜଣାଇଛନ୍ତି ଯେ ମାତ୍ର ସପ୍ତାହକ ମଧ୍ୟରେ ଋଷିଆ ୧,୫୫୦ରୁ ଅଧିକ ଆଟାକ୍ ଡ୍ରୋନ୍, ୧,୫୬୦ ଗାଇଡେଡ୍ ବୋମା ଏବଂ ୬୨ଟି ମିସାଇଲ୍ ୟୁକ୍ରେନ ସହରଗୁଡ଼ିକ ଉପରେ ନିକ୍ଷେପ କରିଛି। କ୍ରିଭି ରୋହ ବ୍ୟତୀତ ଜାପୋରିଜିଆ, ସୁମି, ଡୋନେଟସ୍କ ଏବଂ କିଭ୍‌ରେ ମଧ୍ୟ ବ୍ୟାପକ କ୍ଷତି ଘଟିଛି।