ହୋଇପାରେ ଆଜୀବନ ଜେଲ୍‌ ଦଣ୍ଡ

ନ୍ୟୁୟର୍କ: ବିଶିଷ୍ଟ ସାହିତ୍ୟିକ ସଲମାନ ରୁଷଦୀଙ୍କୁ ଛୁରୀାଘାତ କରି ଗୁରୁତର ଆହତ କରିଥିବା ଯୁବକ ହାଦି ମାତର (Hadi Matar) ଙ୍କୁ ଫେଡେରାଲ୍ ଅଦାଲତ ସନ୍ତ୍ରାସବାଦ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆମେରିକାର ଏକ ଫେଡେରାଲ୍ ଜୁରୀ ମାତରଙ୍କୁ ଇରାନର ନିର୍ଦ୍ଦେଶରେ କାର୍ଯ୍ୟ କରିବା ଏବଂ ଏକ ସନ୍ତ୍ରାସବାଦୀ ସଂଗଠନକୁ ସହାୟତା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଆକ୍ରମଣର ପୃଷ୍ଠଭୂମି:

୧୯୮୯ ମସିହାରେ ଇରାନର ତତ୍କାଳୀନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ରୁହୋଲ୍ଲା ଖୋମେନିଙ୍କ ଦ୍ୱାରା ଜାରି କରାଯାଇଥିବା ‘ଫତ୍‌ୱା’ (Fatwa) କୁ କାର୍ଯ୍ୟକାରୀ କରିବା ପାଇଁ ହାଦି ମାତର ରୁଷଦୀଙ୍କୁ ଆକ୍ରମଣ କରିଥିଲେ। ରୁଷଦୀଙ୍କ ଉପନ୍ୟାସ ‘ଦ ସାତାନିକ୍ ଭର୍ସେସ୍‌’ (The Satanic Verses) କୁ ଇସଲାମିକ କ୍ଲେରିକ୍‌ମାନେ ଧର୍ମନିନ୍ଦାତ୍ମକ ବୋଲି ବିବେଚନା କରିଥିଲେ। ଏଥିସହିତ ପ୍ରସିକ୍ୟୁଟରମାନେ ପ୍ରମାଣ ଦେଖାଇଥିଲେ ଯେ ଲେବାନନ୍‌ର ଇରାନ୍ ସମର୍ଥିତ ଆତଙ୍କବାଦୀ ସଂଗଠନ ‘ହିଜବୁଲ୍ଲା’ ସହ ମାତରଙ୍କ ସମ୍ପର୍କ ରହିଥିଲା।

କଠୋର ଦଣ୍ଡବିଧାନ ସମ୍ଭାବନା:

୨୮ ବର୍ଷୀୟ ମାତର ପୂର୍ବରୁ ହତ୍ୟା ଉଦ୍ୟମ ଅଭିଯୋଗରେ ନ୍ୟୁୟର୍କ ରାଜ୍ୟ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ୨୫ ବର୍ଷର ଜେଲ୍ ଦଣ୍ଡ ଭୋଗୁଛନ୍ତି। ଆସନ୍ତା ନଭେମ୍ବର ମାସରେ ଫେଡେରାଲ୍ କୋର୍ଟରେ ଦଣ୍ଡାଦେଶ ସୁଣାଯିବା ବେଳେ ତାଙ୍କୁ ବିନା ପାରୋଲ୍‌ରେ ଆଜୀବନ କାରାଦଣ୍ଡ ମିଳିବାର ସମ୍ଭାବନା ରହିଛି।

୨୦୨୨ର ସେହି ଭୟାନକ ଆକ୍ରମଣ:

୨୦୨୨ ମସିହାରେ ଚୌତାକ୍ୱା ଇନ୍‌ଷ୍ଟିଚ୍ୟୁସନ୍‌ରେ ଏକ ସାହିତ୍ୟିକ କାର୍ଯ୍ୟକ୍ରମରେ ‘ଲେଖକଙ୍କ ସୁରକ୍ଷା’ ଉପରେ ବକ୍ତବ୍ୟ ଦେବା ପୂର୍ବରୁ ରୁଷଦୀଙ୍କ ଉପରେ ଏହି ନୃଶଂସ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ରୁଷଦୀ ନିଜର ବାମ ଆଖି ହରାଇବା ସହ ତାଙ୍କ ବାମ ହାତ ଓ ସ୍ୱାସ୍ଥ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ବୁକର ପୁରସ୍କାର ବିଜେତା ୭୯ ବର୍ଷୀୟ ସଲମାନ ରୁଷଦୀ ଏହି ଆକ୍ରମଣ ଘଟଣାକୁ ନେଇ ‘ନାଇଫ୍: ମେଡିଟେସନ୍ସ ଆଫ୍ଟର ଆନ୍ ଆଟେମ୍ପ୍ଟେଡ୍ ମର୍ଡର’ ନାମକ ଏକ ବହି ମଧ୍ୟ ଲେଖିଛନ୍ତି।