ୱାସିଂଟନ: ଆମେରିକାରେ ଅବୈଧ ଭାବେ ରହୁଥିବା ଟ୍ରକ୍ ଚାଳକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଏହାସହ ସେ କହିଛନ୍ତି ଯେ, ଏପରି ଚାଳକଙ୍କ ସ୍ଥାନରେ ଆମେରିକାର ପୂର୍ବତନ ସୈନିକମାନଙ୍କୁ ନିଯୁକ୍ତ କରାଯିବ। ସେନାରେ ଭାରୀ ଯାନ ଚଳାଇବାର ଅଭିଜ୍ଞତା ଥିବା ପୂର୍ବତନ ସୈନିକଙ୍କୁ ସହଜ ପ୍ରକ୍ରିୟାରେ ବାଣିଜ୍ୟିକ ଡ୍ରାଇଭିଂ ଲାଇସେନ୍ସ (CDL) ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ପେନ୍ସିଲଭାନିଆରେ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣା ପରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି। ଜୁଲାଇ ୧ରେ ଘଟିଥିବା ଏହି ଦୁର୍ଘଟଣାରେ ଏକ ବାଣିଜ୍ୟିକ ଟ୍ରକ୍ର ଧକ୍କାରେ ପୁଲିସ ଅଧିକାରୀ ମାଇକେଲ୍ ଇ. ପାହିରା ଜୁନିୟରଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ସମ୍ପୃକ୍ତ ଟ୍ରକ୍ ଚାଳକଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଛି।
ଟ୍ରମ୍ପଙ୍କ ଅଭିଯୋଗ ଅନୁଯାୟୀ, କିଛି ଅବୈଧ ପ୍ରବାସୀ ଟ୍ରକ୍ ଚାଳକ ସଡ଼କ ସଙ୍କେତ ଠିକ୍ ଭାବେ ବୁଝିପାରୁ ନାହାନ୍ତି ଏବଂ କେତେକ କ୍ଷେତ୍ରରେ ମଦ୍ୟପାନ କିମ୍ବା ମାଦକଦ୍ରବ୍ୟର ପ୍ରଭାବରେ ଗାଡ଼ି ଚଳାଉଥିବା ଅଭିଯୋଗ ରହିଛି। ଏଭଳି ପରିସ୍ଥିତି ସଡ଼କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବାରୁ ଅବୈଧ ପ୍ରବାସୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଟ୍ରକିଂ କ୍ଷେତ୍ରରେ ପୂର୍ବତନ ସୈନିକଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ସେ କହିଛନ୍ତି।
ଏହି ନୀତିର ପ୍ରଭାବ ଆମେରିକାରେ କାର୍ଯ୍ୟରତ ଭାରତୀୟ ମୂଳର କିଛି ଟ୍ରକ୍ ଚାଳକଙ୍କ ଉପରେ ମଧ୍ୟ ପଡ଼ିପାରେ। ଉତ୍ତର ଆମେରିକୀୟ ପଞ୍ଜାବୀ ଟ୍ରକର୍ସ ସଂଗଠନର ଆକଳନ ଅନୁଯାୟୀ, ଆମେରିକାରେ ପଞ୍ଜାବ ଓ ହରିୟାଣାରୁ ଯାଇଥିବା ପ୍ରାୟ ୧.୩ ଲକ୍ଷରୁ ୧.୫ ଲକ୍ଷ ଭାରତୀୟ ମୂଳର ଟ୍ରକ୍ ଚାଳକ କାର୍ଯ୍ୟରତ ଅଛନ୍ତି। ବୈଧ କାଗଜପତ୍ର ଥିବା ଚାଳକଙ୍କ ଉପରେ ଏହି ନିଷ୍ପତ୍ତିର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ। ତେବେ ଅବୈଧ ଭାବେ ରହୁଥିବା କିମ୍ବା ଦଲିଲପତ୍ରରେ ଅନିୟମିତତା ଥିବା ଚାଳକମାନେ ଅଧିକ ଯାଞ୍ଚ ଓ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି।




