ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଶୁଳ୍କ ନୀତିକୁ ପ୍ରଶଂସା କରିବା ସହ ଏହାଦ୍ୱାରା ‘ଜେନେରାଲ ମୋଟର୍ସ’ ସଫଳତା ପାଇଛି ଏବଂ ଆମେରିକାକୁ ଗାଡ଼ି ନିର୍ମାଣ ଶିଳ୍ପ ଫେରିଆସିଛି ବୋଲି ଦାବି କରିଛନ୍ତି। ମିଚିଗାନ୍ସ୍ଥିତ ଜିଏମ୍ର ମିଲଫୋର୍ଡ ପ୍ରୋଭିଂ ଗ୍ରାଉଣ୍ଡ ପରିଦର୍ଶନ ଅବସରରେ ସେ ଏହି ବକ୍ତବ୍ୟ ଦେଇଛନ୍ତି।
ଟ୍ରମ୍ପ ଜେନେରାଲ ମୋଟର୍ସର ସିଇଓ ମେରୀ ବାରା ଏବଂ ସଭାପତି ମାର୍କ ରୁସ୍ଙ୍କ ସହ ଏହି ପ୍ରସିଦ୍ଧ ପରୀକ୍ଷଣ କେନ୍ଦ୍ର ବୁଲି ଦେଖିଥିଲେ। କାର୍ଯ୍ୟରତ ଶ୍ରମିକମାନଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, “ଆମେରିକାର ଅଟୋ ଶିଳ୍ପ ପୁଣି ଥରେ ମଜବୁତ୍ ସ୍ଥିତିକୁ ଫେରିଛି। ଶୁଳ୍କ ନୀତି ଓ ନିର୍ବାଚନ ଫଳାଫଳ ଯୋଗୁଁ ଜେନେରାଲ ମୋଟର୍ସ ଏବେ ତା’ର ସବୁଠାରୁ ସଫଳ ବର୍ଷ ଦେଇ ଗତି କରୁଛି।”
ବିଦେଶୀ ଗାଡ଼ି ଉପରେ ୨୫% ଶୁଳ୍କ
ଅଟୋ ନିର୍ମାତାମାନଙ୍କୁ ଆମେରିକା ଭିତରେ ଗାଡ଼ି ତିଆରି କରିବାକୁ ଉତ୍ସାହିତ କରିବା ପାଇଁ ତାଙ୍କ ସରକାର ବିଦେଶରୁ ଆସୁଥିବା ଗାଡ଼ି ଓ ଟ୍ରକ୍ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିବା ସେ ସୂଚନା ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଯଦି କୌଣସି କମ୍ପାନୀ ବିଦେଶରେ ଗାଡ଼ି ନିର୍ମାଣ କରି ଆମେରିକା ବଜାରରେ ବିକ୍ରି କରିବ, ତେବେ ତାଙ୍କୁ କର ଦେବାକୁ ପଡ଼ିବ। କିନ୍ତୁ ଆମେରିକାରେ କାରଖାନା ବସାଇ ଗାଡ଼ି ତିଆରି କଲେ ସେମାନଙ୍କୁ ଶୂନ୍ୟ ପ୍ରତିଶତ ଶୁଳ୍କ ଦେବାକୁ ପଡ଼ିବ।
ଆମେରିକାରେ ବୃଦ୍ଧି ପାଉଛି ନିବେଶ
ଜେନେରାଲ ମୋଟର୍ସ ଡେଟ୍ରୋଏଟ୍ସ୍ଥିତ ‘ଫ୍ୟାକ୍ଟ୍ରି ଜିରୋ’ର ସମ୍ପ୍ରସାରଣ କରି ସିଲଭେରାଡୋ, ସିଏରା, ହମର୍ ଏବଂ କ୍ୟାଡିଲାକ୍ ଭଳି ଗାଡ଼ି ନିର୍ମାଣ କରୁଛି। ଗତ ଦୁଇ ବର୍ଷ ମଧ୍ୟରେ ଜିଏମ୍ ଆମେରିକାକୁ କାରଖାନା ଫେରାଇ ଆଣିବା ପାଇଁ ୯ ବିଲିୟନ୍ ଡଲାର ନିବେଶ କରିଛି। ଏଥିସହିତ ଫୋର୍ଡ (Ford), ଟୋୟୋଟା (Toyota) ଏବଂ ହ୍ୟୁଣ୍ଡାଇ (Hyundai) ଭଳି ଅନ୍ୟ ପ୍ରମୁଖ କମ୍ପାନୀଗୁଡ଼ିକ ମଧ୍ୟ ଆମେରିକାରେ ନିଜର ଉତ୍ପାଦନ ବୃଦ୍ଧି କରୁଥିବା ଟ୍ରମ୍ପ ପ୍ରକାଶ କରିଛନ୍ତି।




