କିଭ୍: ରୁଷ–ୟୁକ୍ରେନ ଯୁଦ୍ଧ ମଧ୍ୟରେ ଇନ୍ଧନ ଭିତ୍ତିଭୂମିକୁ ନେଇ ଆକ୍ରମଣ ଆହୁରି ତୀବ୍ର ହୋଇଛି। ୟୁକ୍ରେନ ପକ୍ଷରୁ ରୁଷର ଏକାଧିକ ତୈଳ ପ୍ରତିଷ୍ଠାନ ଉପରେ ଡ୍ରୋନ୍‌ ଆକ୍ରମଣ କରାଯାଇଥିବା ବେଳେ ଆଜୋଭ ସାଗରରେ ଥିବା ଦୁଇଟି ତୈଳ ଟ୍ୟାଙ୍କରକୁ ମଧ୍ୟ ଟାର୍ଗେଟ୍‌ କରାଯାଇଛି। ଆକ୍ରମଣ ପରେ ଉଭୟ ଟ୍ୟାଙ୍କରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

ରୁଷର ପଶ୍ଚିମ ଅଞ୍ଚଳ ଟଭରରେ ଥିବା ଏକ ତୈଳ ଡିପୋରେ ଗୁରୁବାର ସକାଳେ ୟୁକ୍ରେନୀୟ ଡ୍ରୋନ୍‌ ଆକ୍ରମଣ ପରେ ନିଆଁ ଲାଗିଥିବା ସୂଚନା ଦେଇଛନ୍ତି କାର୍ଯ୍ୟକାରୀ ଆଞ୍ଚଳିକ ରାଜ୍ୟପାଳ ଭିଟାଲି କୋରୋଲିଓଭ। ଏହାଛଡ଼ା ରୁଷ ଓ ୟୁକ୍ରେନ ମଧ୍ୟରେ ରାତିସାରା ଡ୍ରୋନ୍‌ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିଥିବା କୁହାଯାଇଛି।

ଏହି ଆକ୍ରମଣ ଏମିତି ସମୟରେ ହୋଇଛି, ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ପାଟ୍ରିଅଟ୍‌ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଉତ୍ପାଦନ ପାଇଁ ଲାଇସେନ୍ସ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ତୁର୍କିରେ ଆୟୋଜିତ ନାଟୋ ଶିଖର ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ବୈଠକ ବେଳେ ସେ ଏହି ଘୋଷଣା କରିଥିଲେ।

ୟୁକ୍ରେନର ଲଗାତାର ଆକ୍ରମଣ ଫଳରେ ରୁଷର ତୈଳ ବିଶୋଧନାଗାର ଓ ଇନ୍ଧନ ଭିତ୍ତିଭୂମି ଗୁରୁତର ପ୍ରଭାବିତ ହୋଇଥିବା କୁହାଯାଉଛି। ବିଭିନ୍ନ ଅଞ୍ଚଳରେ ପେଟ୍ରୋଲ ଓ ଇନ୍ଧନ ଅଭାବ ଦେଖାଦେଇଥିବା ବେଳେ, ଯାନଚାଳକମାନେ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ ପମ୍ପରେ ଅପେକ୍ଷା କରୁଥିବା ଖବର ମିଳିଛି।

ଦୁଇ ତୈଳ ଟ୍ୟାଙ୍କରରେ ଲାଗିଲା ନିଆଁ

ଦକ୍ଷିଣ ରୁଷର ଷ୍ଟାଭ୍ରୋପୋଲ ଅଞ୍ଚଳର ରାଜ୍ୟପାଳ ଭ୍ଲାଦିମିର ଭ୍ଲାଦିମିରଭ କହିଛନ୍ତି, ୟୁକ୍ରେନୀୟ ଡ୍ରୋନ୍‌ ଆକ୍ରମଣରେ ଭୟାଜନିକି ଅଞ୍ଚଳର ଏକ ତୈଳ ଭଣ୍ଡାରରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପରେ ନିକଟସ୍ଥ ବହୁ ଆପାର୍ଟମେଣ୍ଟର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ରୋସ୍ତଭ ଅଞ୍ଚଳର ରାଜ୍ୟପାଳ ୟୁରି ସ୍ଲୁସାର କହିଛନ୍ତି, ଆଜୋଭ ସାଗରରେ ଥିବା ଦୁଇଟି ତୈଳ ଟ୍ୟାଙ୍କର ଉପରେ ୟୁକ୍ରେନୀୟ ଡ୍ରୋନ୍‌ ଆକ୍ରମଣ କରିଥିଲା। ଏଥିରୁ ଗୋଟିଏ ଜାହାଜରେ ଏବେ ବି ନିଆଁ ଜଳୁଥିବା ବେଳେ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଅନ୍ୟପକ୍ଷରେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ବୁଧବାର ରାତିରୁ ଗୁରୁବାର ସକାଳ ପର୍ଯ୍ୟନ୍ତ ତାଙ୍କ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ୭୩ଟି ୟୁକ୍ରେନୀୟ ଡ୍ରୋନ୍‌କୁ ଧ୍ୱଂସ କରିଛି। ଅନ୍ୟପଟେ ୟୁକ୍ରେନ ବାୟୁସେନା କହିଛି ଯେ, ରୁଷ ୯୪ଟି ଦୂରଗାମୀ ଡ୍ରୋନ୍‌ ଏବଂ ଦୁଇଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ସେଥିମଧ୍ୟରୁ ୭୨ଟି ଡ୍ରୋନ୍‌କୁ ଅଟକାଯାଇଥିବା ବେଳେ ବାକି ଡ୍ରୋନ୍‌ ଓ ଉଭୟ କ୍ଷେପଣାସ୍ତ୍ର ୧୩ଟି ସ୍ଥାନରେ କ୍ଷୟକ୍ଷତି ଘଟାଇଥିବା ଦାବି କରାଯାଇଛି।