ଆତଙ୍କବାଦକୁ ଅସ୍ତ୍ର କରିବା ଏବଂ ଗଣସଂହାର ନେଇ ଘେରିଲେ ରାଷ୍ଟ୍ରଦୂତ ହରିଶ ପର୍ବଥାନେନି

ନ୍ୟୁୟର୍କ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ପାକିସ୍ତାନକୁ କଡ଼ା ଭାଷାରେ ସମାଲୋଚନା କରିଛି ଭାରତ। ଆତଙ୍କବାଦକୁ ଅସ୍ତ୍ର ଭାବେ ବ୍ୟବହାର କରିବା ଏବଂ ଦଶନ୍ଧି ଦଶନ୍ଧି ଧରି ଗଣସଂହାର ଭଳି ଜଘନ୍ୟ କାର୍ଯ୍ୟ କରିବା ନେଇ ନୂଆଦିଲ୍ଲୀ ଇସଲାମାବାଦକୁ ସିଧାସଳଖ ଦାୟୀ କରିଛି।

ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବାର୍ଷିକ ଓପନ ଡିବେଟ୍ (ସଶସ୍ତ୍ର ସଂଘର୍ଷରେ ନାଗରିକଙ୍କ ସୁରକ୍ଷା) ଅବସରରେ ଭାରତର ସ୍ଥାୟୀ ପ୍ରତିନିଧି, ରାଷ୍ଟ୍ରଦୂତ ହରିଶ ପର୍ବଥାନେନି ପାକିସ୍ତାନର ଅସଲ ଚେହେରାକୁ ବିଶ୍ୱ ଦରବାରରେ ପଦାରେ ପକାଇଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନର ନିଜର “କଳଙ୍କିତ ଇତିହାସ” ଥିବା ବେଳେ ଜାମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇବା ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ କପଟତାପୂର୍ଣ୍ଣ।

ଆଫଗାନିସ୍ତାନର ସାଧାରଣ ନାଗରିକଙ୍କ ଉପରେ ପାକିସ୍ତାନୀ ସେନା କରୁଥିବା ସୀମାପାର ହିଂସାକାଣ୍ଡ ବିଷୟରେ ଜାତିସଂଘକୁ ଅବଗତ କରାଇଛନ୍ତି ଭାରତୀୟ ସ୍ଥାୟୀ ପ୍ରତିନିଧି। ‘ୟୁନାମା’ (UNAMA) ତଥ୍ୟର ଉଦାହରଣ ଦେଇ ସେ କହିଛନ୍ତି ଯେ, ନାଗରିକ ମୃତାହତ ସହ ଜଡ଼ିତ ୯୫ଟି ଘଟଣା ମଧ୍ୟରୁ ୯୪ଟି ପାଇଁ ପାକିସ୍ତାନୀ ସେନା ହିଁ ଦାୟୀ। ଗତ ମାର୍ଚ୍ଚ ମାସରେ ପବିତ୍ର ରମଜାନ ମାସ ସମୟରେ କାବୁଲର ‘ଓମିଦ୍ ନିଶାନିବାରଣ ଚିକିତ୍ସାଳୟ’ ଉପରେ ପାକିସ୍ତାନ କରିଥିବା ଏୟାରଷ୍ଟ୍ରାଇକ ବିଷୟରେ ସେ ମନେ ପକାଇ ଦେଇଛନ୍ତି। ଏହି ବର୍ବର ଆକ୍ରମଣରେ ୨୬୯ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ ଏବଂ ୧୨୨ ଜଣ ଆହତ ହୋଇଥିଲେ। ପାକିସ୍ତାନର ଏଭଳି କାର୍ଯ୍ୟକୁ ସେ “କାପୁରୁଷୋଚିତ ଏବଂ ଅମାନୁଷିକ” ବୋଲି ଆଖ୍ୟା ଦେଇଛନ୍ତି।

ଭାରତୀୟ ଦୂତ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ନିଜର ମାନବିକ ଦାୟିତ୍ୱକୁ ସମ୍ପୂର୍ଣ୍ଣ ଭୁଲି ଅନ୍ଧାରରେ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛି। ପାକିସ୍ତାନୀ ସେନାର ଏହି ସାମରିକ ଅଭିଯାନ ଯୋଗୁଁ ୯୪,୦୦୦ରୁ ଅଧିକ ଲୋକ ନିଜ ଭିଟାମାଟି ଛାଡ଼ି ବିସ୍ଥାପିତ ହୋଇଛନ୍ତି, ଯାହା ସେଠାକାର ଭୟାବହତାକୁ ସ୍ପଷ୍ଟ କରୁଛି।

୧୯୭୧ର ଇତିହାସ ମନେ ପକାଇଲା ଭାରତ

ଏହା ସହିତ ଭାରତ ୧୯୭୧ ମସିହାରେ ପାକିସ୍ତାନୀ ସେନା ଦ୍ୱାରା ଚାଲିଥିବା ‘ଅପରେସନ ସର୍ଚ୍ଚଲାଇଟ୍’ର ବର୍ବରତା ବିଷୟରେ ସୁରକ୍ଷା ପରିଷଦକୁ ମନେ ପକାଇ ଦେଇଛି। ସେହି ସମୟରେ ତତ୍କାଳୀନ ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)ରେ ପାକିସ୍ତାନୀ ସେନା ପ୍ରାୟ ୪ ଲକ୍ଷ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ସହ ବ୍ୟାପକ ଗଣସଂହାର କରିଥିଲା।

ରାଷ୍ଟ୍ରଦୂତ ପର୍ବଥାନେନି ଶେଷରେ କହିଛନ୍ତି, “ପାକିସ୍ତାନ ନିଜ ଦେଶର ଆଭ୍ୟନ୍ତରୀଣ ବିଫଳତାକୁ ଲୁଚାଇବା ପାଇଁ ଏବଂ ଦୁନିଆର ଦୃଷ୍ଟି ହଟାଇବା ପାଇଁ ବାରମ୍ବାର ଏଭଳି ହିଂସାର ଆଶ୍ରୟ ନେଉଛି। କିନ୍ତୁ ସମଗ୍ର ବିଶ୍ୱ ଏବେ ପାକିସ୍ତାନର ଏହି ମିଥ୍ୟା ପ୍ରଚାର ଓ ପ୍ରୋପାଗାଣ୍ଡାର ଅସଲି ରୂପକୁ ଭଲ ଭାବେ ବୁଝିସାରିଛି।”