ୱାଶିଂଟନ୍ ଡିସି: ଆମେରିକାର ରାଷ୍ଟ୍ରପତି ଭବନ ‘ହ୍ୱାଇଟ୍ ହାଉସ୍’ (White House) ବାହାରେ ଥିବା ଏକ ସିକ୍ରେଟ୍ ସର୍ଭିସ୍ ଚେକପଏଣ୍ଟ ନିକଟରେ ଶନିବାର ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ଗୁଳି ଚଳାଇଥିବା ଆତତାୟୀକୁ ଚିହ୍ନଟ କରାଯାଇଥିବା ବେଳେ ତାଙ୍କ ନାମ ନାସିର ବେଷ୍ଟ (୨୧) ବୋଲି ‘ନ୍ୟୁୟର୍କ ପୋଷ୍ଟ’ ରିପୋର୍ଟ କରିଛି।

ଘଟଣାସ୍ଥଳରେ ଉପସ୍ଥିତ ଥିବା ସିକ୍ରେଟ୍ ସର୍ଭିସ୍ ଅଧିକାରୀଙ୍କ ପାଲଟା ଗୁଳିମାଡ଼ରେ ଆତତାୟୀ ଗୁରୁତର ଆହତ ହୋଇଥିଲା ଏବଂ ପରେ ତାକୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଛି।

କିପରି ଘଟିଲା ଘଟଣା?

ୱାଶିଂଟନ୍ ଡିସିର ୧୭ଶ ଷ୍ଟ୍ରିଟ୍ ନର୍ଥୱେଷ୍ଟ (17th Street Northwest) ଠାରେ ଏହି ଗୁଳିକାଣ୍ଡ ଘଟିଥିଲା। ସିକ୍ରେଟ୍ ସର୍ଭିସ୍ କର୍ମଚାରୀମାନେ ନାସିର ବେଷ୍ଟର ସନ୍ଦେହଜନକ ତଥା ଅସ୍ୱାଭାବିକ ଆଚରଣ ଦେଖିବାକୁ ପାଇଥିଲେ। କିଛି ସମୟ ପରେ ସେ ଏକ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲା। ଏହି ଘଟଣାରେ ସେଠାରେ ଉପସ୍ଥିତ ଥିବା ଜଣେ ସାଧାରଣ ନାଗରିକଙ୍କ ଦେହରେ ଗୁଳି ବାଜିଥିଲା ଏବଂ ସେ ଗୁରୁତର ଆହତ ହୋଇଛନ୍ତି। ଏହା ଦେଖି ସିକ୍ରେଟ୍ ସର୍ଭିସ୍‌ର ୟୁନିଫର୍ମଡ ଡିଭିଜନ୍ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାଲଟା ଗୁଳି ଚଳାଇଥିଲେ, ଯାହା ଫଳରେ ଘଟଣାସ୍ଥଳରେ ହିଁ ଆତତାୟୀକୁ ନିଷ୍କ୍ରିୟ କରାଯାଇପାରିଥିଲା।

ମାନସିକ ଅସ୍ଥିରତା କାରଣରୁ ସେ ଏପରି କରିଥିବା ତଦନ୍ତକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଟ୍ରାଫିକ୍ ଚଳାଚଳରେ ବାଧା ସୃଷ୍ଟି କରିବା ଏବଂ ହ୍ୱାଇଟ୍ ହାଉସ୍‌ର ଏକ ନିଷିଦ୍ଧ ପଥଚାରୀ ନିୟନ୍ତ୍ରଣ ପୋଷ୍ଟରେ ପ୍ରବେଶ କରିବା ଭଳି ଅପରାଧ ପାଇଁ ବେଷ୍ଟକୁ ପୂର୍ବରୁ ଦୁଇଥର ଗିରଫ କରାଯାଇଥିଲା। ଗୋଟିଏ ଥର ଗିରଫ ହେବା ସମୟରେ ସେ ପୋଲିସ୍ ଅଧିକାରୀଙ୍କୁ କହିଥିଲା ଯେ ସେ ନିଜେ ଗିରଫ ହେବାକୁ ଚାହୁଁଛି, କାରଣ ସେ ହେଉଛି ଆଧୁନିକ ଯୁଗର ‘ଯୀଶୁ ଖ୍ରୀଷ୍ଟ’ (Jesus Christ)।

ନାସିରକୁ ହ୍ୱାଇଟ୍ ହାଉସ୍ ପରିସରରେ ପ୍ରବେଶ ନକରିବା ପାଇଁ କୋର୍ଟଙ୍କ ତରଫରୁ ବାରଣ କରାଯାଇ ଏକ ଆଦେଶନାମା ଜାରି ହୋଇଥିଲା। ମାତ୍ର ସେ ଏହି ନିୟମକୁ ଉଲ୍ଲଂଘନ କରି ସେଠାରେ ପହଞ୍ଚିଥିବା ଜଣାପଡ଼ିଛି। ତେବେ ଏହି ଆକ୍ରମଣ ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ରହିଛି କି ନାହିଁ, ସେ ନେଇ ଅଧିକାରୀମାନେ ଏକ ବଡ଼ ଧରଣର ତଦନ୍ତ ଜାରି ରଖିଛନ୍ତି ଏବଂ ଏହି ଦିଗକୁ ମଧ୍ୟ ଏଡ଼ାଇ ଦିଆଯାଇନାହିଁ।

ଆମେରିକୀୟ ଗୁଇନ୍ଦା ସଂସ୍ଥା ଏଫବିଆଇର ନିର୍ଦ୍ଦେଶକ କାଶ୍ ପଟେଲ (Kash Patel) ଏହି ଘଟଣାର ତଦନ୍ତରେ ସେମାନଙ୍କ ସମ୍ପୃକ୍ତି ଥିବା ନେଇ ସ୍ପଷ୍ଟ କରିଛନ୍ତି। ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି ଲେଖିଛନ୍ତି, “ହ୍ୱାଇଟ୍ ହାଉସ୍ ପରିସର ନିକଟରେ ଗୁଳିକାଣ୍ଡ ପରେ ଏଫବିଆଇର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ସିକ୍ରେଟ୍ ସର୍ଭିସ୍‌କୁ ସମ୍ପୂର୍ଣ୍ଣ ସହଯୋଗ କରୁଛି। ଘଟଣାର ନୂଆ ଅପଡେଟ୍ ମିଳିବା ମାତ୍ରେ ଆମେ ଲୋକଙ୍କୁ ସୂଚନା ଦେବୁ।”