ମୁମ୍ବାଇ: ସେପ୍ଟେମ୍ବର ୧୭ ତାରିଖରେ ଟାଟା ସନ୍ସର ଏକ ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। କୋର୍ ଇନଭେଷ୍ଟମେଣ୍ଟ କମ୍ପାନୀ (CIC) ଭାବେ ନିଜର ପଞ୍ଜୀକରଣ ରଦ୍ଦ କରିବା ପାଇଁ ଟାଟା ସନ୍ସ କରିଥିବା ଆବେଦନକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପ୍ରତ୍ୟାଖ୍ୟାନ କରିବା ପରେ ଏହି ବୈଠକ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଆରବିଆଇର ଏହି ନିଷ୍ପତ୍ତି ପରେ ଟାଟା ସନ୍ସ ଆଗାମୀ ଦିନରେ ଶେୟାର ବଜାରରେ ତାଲିକାଭୁକ୍ତ ହେବା ନେଇ ପୁଣି ଥରେ ଆଲୋଚନା ଜୋର ଧରିଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୦୨୨ରେ ଆରବିଆଇ ଟାଟା ସନ୍ସକୁ ଆପର-ଲେୟାର NBFC ଭାବେ ବର୍ଗୀକୃତ କରିଥିଲା। ଏହି ନିୟମ ଅନୁସାରେ କମ୍ପାନୀକୁ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଶେୟାର ବଜାରରେ ଲିଷ୍ଟିଂ କରିବା ବାଧ୍ୟତାମୂଳକ ଥିଲା। କିନ୍ତୁ ଟାଟା ସନ୍ସ ନିଜକୁ ସମ୍ପୂର୍ଣ୍ଣ ଋଣମୁକ୍ତ କରିବା ପରେ ଘରୋଇ କମ୍ପାନୀ ଭାବେ ରହିବା ପାଇଁ ସିଆଇସି ପଞ୍ଜୀକରଣ ପ୍ରତ୍ୟାହାର ପାଇଁ ଆବେଦନ କରିଥିଲା। ମାତ୍ର ଆରବିଆଇ ଏହାକୁ ଗ୍ରହଣ କରିନଥିଲା, ଯାହା ଫଳରେ ସମ୍ଭାବ୍ୟ ଲିଷ୍ଟିଂ ପ୍ରକ୍ରିୟା ପରିଚାଳନା ପାଇଁ ଗ୍ରୁପ୍ ମଧ୍ୟରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ତୀବ୍ର ହୋଇଛି।

ଏହି ସମୟରେ ନେତୃତ୍ୱ ସଙ୍କଟ ମଧ୍ୟ ଦେଖାଦେଇଛି। ବର୍ତ୍ତମାନର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍ ଜଣାଇଛନ୍ତି ଯେ, ୨୦୨୭ ଫେବ୍ରୁଆରୀ ୨୦ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଆଉ ଦ୍ୱିତୀୟ ପାଳି ପାଇଁ ଆଗ୍ରହୀ ନୁହଁନ୍ତି। ଏଭଳି ବିଶାଳ ସଂସ୍ଥାର ଲିଷ୍ଟିଂ ପାଇଁ ସ୍ପଷ୍ଟ ଓ ସ୍ଥାୟୀ ନେତୃତ୍ୱ ଆବଶ୍ୟକ ବୋଲି ଅର୍ଥନୈତିକ ବିଶ୍ଲେଷକମାନେ ମତପ୍ରକାଶ କରିଛନ୍ତି।

ଅପରପକ୍ଷରେ, ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାରେ ସର ରତନ ଟାଟା ଟ୍ରଷ୍ଟ (SRTT) ର ଆଇନଗତ ସମସ୍ୟା ବାଧା ସୃଷ୍ଟି କରିଛି। ଏସଆରଟିଟି ପାଖରେ ଟାଟା ସନ୍ସର ପ୍ରାୟ ୨୩.୫୬ ପ୍ରତିଶତ ଶେୟାର ରହିଛି। ମହାରାଷ୍ଟ୍ର ଚାରିଟି କମିଶନରଙ୍କ ପାଖରେ ମାମଲା ବିଚାରାଧୀନ ଥିବାରୁ ଟ୍ରଷ୍ଟି ବୈଠକ ଡକାଯାଇ ପାରୁନାହିଁ। ଟାଟା ସନ୍ସର ଦୁଇ ପ୍ରମୁଖ ଟ୍ରଷ୍ଟ ସର ରତନ ଟାଟା ଟ୍ରଷ୍ଟ (SRTT) ଏବଂ ସର ଦୋରାବଜୀ ଟାଟା ଟ୍ରଷ୍ଟ (SDTT) ମିଳିତ ଭାବେ ୬୬ ପ୍ରତିଶତ ଶେୟାର ନିୟନ୍ତ୍ରଣ କରନ୍ତି। ନୂଆ ଅଧ୍ୟକ୍ଷ ଚୟନ ପାଇଁ ଗଠିତ ୫ ଜଣିଆ କମିଟିକୁ ଏହି ଦୁଇ ଟ୍ରଷ୍ଟ ମିଳିତ ଭାବେ ୩ ଜଣ ସଦସ୍ୟ ମନୋନୀତ କରିଥାନ୍ତି।

ଏସଆରଟିଟି ଉପରେ ଥିବା କଟକଣା ଯୋଗୁଁ ଅଗଷ୍ଟ ୧୮ରେ ହେବାକୁ ଥିବା ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ମଧ୍ୟ ମିଳିତ ପ୍ରତିନିଧି ମନୋନୟନ ହୋଇନପାରିବାରୁ ସ୍ଥଗିତ ରହିଥିଲା। ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ମୁଦ୍ଦା ଉପରେ ସେପ୍ଟେମ୍ବର ୧୭ ବୋର୍ଡ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି।