କୁଏତ ଏବଂ ତେହେରାନ ମଧ୍ୟରେ ମଧ୍ୟସ୍ଥି ସାଜିବାକୁ ଇସଲାମାବାଦ ଚେଷ୍ଟା କରୁଥିବାବେଳେ, ପାକିସ୍ତାନର ସାଧାରଣ ଜନତା ଏବେ ଅନ୍ଧାରରେ ଦିନ କାଟୁଛନ୍ତି। ବଢୁଥିବା ଶକ୍ତି ସଙ୍କଟ ଯୋଗୁଁ ସରକାର ସାରା ଦେଶରେ ସନ୍ଧ୍ୟା ସମୟରେ ଦୁଇ ଘଣ୍ଟା ପାଇଁ ବିଦ୍ୟୁତ୍ କାଟ୍ (Scheduled Blackouts) ଘୋଷଣା କରିଛନ୍ତି, ଯାହାକି ପୂର୍ବରୁ ଜାରି ରହିଥିବା ଅଘୋଷିତ ବିଦ୍ୟୁତ୍ କାଟ୍ ସମସ୍ୟାକୁ ଆହୁରି ଜଟିଳ କରିଛି।
ସରକାରୀ ଅଧିକାରୀମାନେ ଏହାକୁ ଟାରିଫ୍ ନିୟନ୍ତ୍ରଣ କରିବାର ଏକ ପଦକ୍ଷେପ ବୋଲି କହୁଥିବାବେଳେ, ମୁଲତାନର ଗ୍ରାମାଞ୍ଚଳରେ MEPCO ଅଧୀନରେ ଥିବା ଅଞ୍ଚଳଗୁଡ଼ିକରେ ୧୬ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେଉଥିବା ରିପୋର୍ଟ ମିଳିଛି।ପାକିସ୍ତାନର ପେଟ୍ରୋଲିୟମ ବିଭାଗ ଅନୁଯାୟୀ, ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକୁ ଗ୍ୟାସ୍ ଯୋଗାଣ ହ୍ରାସ ପାଇବା ଏହାର ମୁଖ୍ୟ କାରଣ।
ଆମେରିକା ଏବଂ ଇସ୍ରାଏଲ ସହ ସଂଘର୍ଷ ମଧ୍ୟରେ ଇରାନ ‘ଷ୍ଟ୍ରେଟ୍ ଅଫ୍ ହରମୁଜ୍’ ଦେଇ ପରିବହନ ବନ୍ଦ କରିଦେଇଛି। ଏହାଫଳରେ ବିଶ୍ୱର ପ୍ରାୟ ୨୦% ଶକ୍ତି ପ୍ରବାହ ବାଧାପ୍ରାପ୍ତ ହୋଇଛି।
ଗଲ୍ଫ ଅଞ୍ଚଳର ଶକ୍ତି କେନ୍ଦ୍ରଗୁଡ଼ିକ ଉପରେ ହୋଇଥିବା ଆକ୍ରମଣ ଏବଂ କତାରରୁ LNG ଆମଦାନୀ ମେ’ ୯ ପର୍ଯ୍ୟନ୍ତ ସ୍ଥଗିତ ରହିବା ପାକିସ୍ତାନର ସ୍ଥିତିକୁ ଆହୁରି ସୋଚନୀୟ କରିଦେଇଛି।ପାକିସ୍ତାନ ବାହାର ଦୁନିଆରେ ଶାନ୍ତି ପ୍ରତିଷ୍ଠାତା ଭାବେ ନିଜକୁ ପ୍ରତିପାଦିତ କରିବାକୁ ଚାହୁଁଥିବା ବେଳେ, ନିଜ ଦେଶ ଭିତରେ ଲୋକଙ୍କୁ ସାମାନ୍ୟ ଆଲୋକ ଯୋଗାଇବା ପାଇଁ ସଂଘର୍ଷ କରୁଛି।





