ଭୁବନେଶ୍ୱର: Central Board of Secondary Education (ସିବିଏସ୍ଇ) ପକ୍ଷରୁ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଓଡ଼ିଶା ପାଇଁ ଗର୍ବର କ୍ଷଣ ସୃଷ୍ଟି ହୋଇଛି। ପୁରୀର Mother’s Public Schoolର ଛାତ୍ରୀ ଟିନା ରଥ ୫୦୦ରୁ ୫୦୦ ନମ୍ବର ରଖି ସାରା ଦେଶରେ ଟପର୍ ହୋଇଛନ୍ତି।
ଏହି ବର୍ଷ ସିବିଏସ୍ଇ ଦଶମ ପରୀକ୍ଷାରେ ସର୍ବଭାରତୀୟ ପାସ୍ହାର ୯୩.୭୦% ରହିଛି, ଯାହା ପୂର୍ବବର୍ଷ ତୁଳନାରେ ସାମାନ୍ୟ ବୃଦ୍ଧି ପାଇଛି। ଦେଶରେ ମୋଟ ୨୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ, ଯାହାରୁ ୨୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି।
ଓଡ଼ିଶାରେ ମଧ୍ୟ ଫଳାଫଳ ଉଲ୍ଲେଖନୀୟ ରହିଛି। ରାଜ୍ୟରେ ପାସ୍ହାର ୯୩.୬୬% ଥିବାବେଳେ ଛାତ୍ରୀମାନେ ପୁଣିଥରେ ଛାତ୍ରମାନଙ୍କୁ ପଛେଇ ଦେଇଛନ୍ତି। ଛାତ୍ରୀଙ୍କ ପାସ୍ହାର ୯୪.୮୩% ଓ ଛାତ୍ରଙ୍କ ପାସ୍ହାର ୯୨.୬୦% ରହିଛି।
ବିଦ୍ୟାଳୟ ଭିତ୍ତିକ ଫଳାଫଳ ଦେଖିଲେ Jawahar Navodaya Vidyalaya (ଜେଏନ୍ଭି)ର ପାସ୍ହାର ୯୯.୮୮% ଓ Kendriya Vidyalaya (କେଭି)ର ପାସ୍ହାର ୯୯.୬୯% ରହିଛି, ଯାହା ସର୍ବାଧିକ।
ଏହିବର୍ଷ ୨ ଲକ୍ଷ ୨୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଥିବାବେଳେ ୫୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ୯୫%ରୁ ଅଧିକ ନମ୍ବର ରଖି ନୂତନ ରେକର୍ଡ ସୃଷ୍ଟି କରିଛନ୍ତି।
ଜୋନ୍ ଭିତ୍ତିକ ଭାବେ ତିରୁଅନନ୍ତପୁରମ୍ ଓ ବିଜୟୱାଡା ଜୋନ୍ର ପାସ୍ହାର ସର୍ବାଧିକ ୯୯.୭୯% ରହିଛି। ଭୁବନେଶ୍ୱର ଜୋନ୍ରେ ମଧ୍ୟ ୯୪.୬୭% ପାସ୍ହାର ସହ ଭଲ ପ୍ରଦର୍ଶନ ଦେଖାଯାଇଛି।
ଏହି ଫଳାଫଳ ଦ୍ୱାରା ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ସହ ଛାତ୍ରୀମାନଙ୍କ ଅଗ୍ରଗତି ପୁଣିଥରେ ପ୍ରମାଣିତ ହୋଇଛି।





