ପୁରୀ: ଇସ୍କନ (ISKCON) ପକ୍ଷରୁ ବିଦେଶରେ ନିର୍ଦ୍ଧାରିତ ସମୟ ପୂର୍ବରୁ ବା ‘ଅଦିନିଆ’ ରଥଯାତ୍ରା ଆୟୋଜନକୁ ନେଇ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏବଂ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଶାସ୍ତ୍ରୀୟ ବିଧି ଓ ପରମ୍ପରାକୁ ଉଲ୍ଲଂଘନ କରି ଇସ୍କନ ପକ୍ଷରୁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ସମୟରେ ରଥଯାତ୍ରା ଓ ସ୍ନାନଯାତ୍ରା କରାଯାଉଛି, ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ଆଘାତ ଦେଉଛି।

ଏହି ବିବାଦ ସମ୍ପର୍କରେ ଗଜପତି ମହାରାଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି। ଏଥିସହ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ସଂସ୍କୃତି ମନ୍ତ୍ରଣାଳୟ ସହ ମଧ୍ୟ ଆଲୋଚନା କରିବାକୁ ପ୍ରଶାସନ ଯୋଜନା କରୁଛି।

ଯଦି ଇସ୍କନ ଏହି ପରମ୍ପରା ବିରୋଧୀ କାର୍ଯ୍ୟରୁ ନିବୃତ୍ତ ନହୁଏ, ତେବେ ଶେଷ ବିକଳ୍ପ ଭାବେ ଶ୍ରୀମନ୍ଦିର ପ୍ରଶାସନ କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରେ ବୋଲି ଗଜପତି ସୂଚନା ଦେଇଛନ୍ତି।ଅକ୍ଟୋବର ୨୦୨୫ରେ ଇସ୍କନ ପ୍ରତିଶ୍ରୁତି ଦେଇଥିଲା ଯେ ସେମାନେ ଭାରତ ମଧ୍ୟରେ ଅଦିନିଆ ରଥଯାତ୍ରା କରିବେ ନାହିଁ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନର କହିବା ଅନୁସାରେ, ଏବେ ମଧ୍ୟ ବିଦେଶରେ ପ୍ରାୟ ୮୦ଟି ସ୍ଥାନରେ ଏହିପରି ଅସମୟରେ ରଥଯାତ୍ରା ଆୟୋଜନ କରାଯାଉଛି।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଏକ ସ୍ୱତନ୍ତ୍ର ପର୍ବପର୍ବାଣୀ କ୍ୟାଲେଣ୍ଡର ଜାରି କରାଯାଇଛି। ସାରା ବିଶ୍ୱରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକୁ ପୁରୀ ଶ୍ରୀମନ୍ଦିରର ତିଥି ଅନୁସାରେ ରଥଯାତ୍ରା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପରମ୍ପରା ଅନୁଯାୟୀ, ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହିଁ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ। କିନ୍ତୁ ଇସ୍କନ ନିଜର ସୁବିଧା ଅନୁସାରେ ବିଭିନ୍ନ ସମୟରେ ଏହାକୁ ପାଳନ କରୁଥିବାରୁ ଏହାକୁ “ଶାସ୍ତ୍ର ବିରୋଧୀ” ବୋଲି ଦର୍ଶାଯାଇଛି।ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ଏହି ବିଭ୍ରାଟକୁ ତୀବ୍ର ନିନ୍ଦା କରିଛନ୍ତି।