ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ରାଜଧାନୀରେ ‘ଓଡ଼ିଶା ନାଗରିକ ମଞ୍ଚ’ର ଔପଚାରିକ ଗଠନ ହୋଇଛି। ବିଭିନ୍ନ ରାଜନୈତିକ ଦଳ, ସାହିତ୍ୟ ଓ ପ୍ରଶାସନିକ କ୍ଷେତ୍ରର ବ୍ୟକ୍ତିବିଶେଷମାନେ ଏକାଠି ହୋଇ ଏହି ମଞ୍ଚ ଗଠନ କରିଥିବା ବେଳେ, ଏହାକୁ ଓଡ଼ିଶା ଓ ଓଡ଼ିଆଙ୍କ ସ୍ୱର ଭାବେ ଗଢ଼ି ତୋଳିବାକୁ ସଂକଳ୍ପ କରାଯାଇଛି।

ଆୟୋଜକମାନେ ସ୍ପଷ୍ଟ କରିଛନ୍ତି ଯେ, ଏହି ମଞ୍ଚ କୌଣସି ରାଜନୈତିକ ଦଳ ନୁହେଁ; ବରଂ ସମସ୍ତ ଦଳଙ୍କ ପାଇଁ ଏକ ‘ସତର୍କ ଘଣ୍ଟି’ ଭାବେ କାମ କରିବ। ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ସୁରକ୍ଷିତ ରଖିବା ସହ ଆଗାମୀ ପିଢ଼ୀକୁ ଠିକ୍ ଦିଗ ଦେଖାଇବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୃଷି ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍‌ଘାଟନ କରି ବିଜୁ ପଟ୍ଟନାୟକଙ୍କ ସ୍ମୃତିକୁ ସ୍ମରଣ କରିଥିଲେ।

ମଞ୍ଚର ଆବାହକ ଦିଲ୍ଲୀପ ରାୟ କହିଥିଲେ, ବିଜୁ ପଟ୍ଟନାୟକଙ୍କ ପ୍ରଭାବ କେବଳ ରାଜନୀତିରେ ନୁହେଁ, ସାଧାରଣ ଲୋକଙ୍କ ଜୀବନରେ ମଧ୍ୟ ଗଭୀର ଭାବେ ପଡ଼ିଛି। ତାଙ୍କ ସହ କାମ କରିଥିବା ସାଧାରଣ ଲୋକମାନେ ମଧ୍ୟ ବିଜୁଙ୍କ ପ୍ରକୃତ ଉତ୍ତରାଧିକାରୀ ବୋଲି ସେ କହିଥିଲେ।

ଅନ୍ୟତମ ଆବାହକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ, ଏହି ମଞ୍ଚ ଗଠନ ହେବାରେ ରାଜନୈତିକ ଦଳମାନଙ୍କ ମଧ୍ୟରେ ଏକ ଆତ୍ମପରିଶୋଧନର ପରିସ୍ଥିତି ସୃଷ୍ଟି ହେବ। ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କୁ ‘ଝଡ଼ର ଇଗଲ୍‌’ ଭାବେ ବର୍ଣ୍ଣନା କରି ଯୁବ ପିଢ଼ୀକୁ ତାଙ୍କ ଆଦର୍ଶରୁ ପ୍ରେରଣା ନେବାକୁ ଆହ୍ୱାନ ଜଣାଇଥିଲେ।

ବରିଷ୍ଠ ନେତାମାନେ ମତ ପ୍ରକାଶ କରିଥିଲେ ଯେ, ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ ରାଜନୈତିକ ଶକ୍ତିମାନେ ତାଙ୍କ ଆଦର୍ଶକୁ ପୂରାପୁରି ରୂପାୟଣ କରିପାରିନାହାନ୍ତି। ଏହି ପରିପ୍ରେକ୍ଷିତରେ ଓଡ଼ିଶା ନାଗରିକ ମଞ୍ଚ ଏକ ବିକଳ୍ପ ମଞ୍ଚ ଭାବେ ଆଗକୁ ଆସିଛି।

ଏହି ମଞ୍ଚ ରାଜ୍ୟର ୩୦ଟି ଜିଲ୍ଲା ସହ ପ୍ରତ୍ୟେକ ବ୍ଲକ୍‌ ଓ ପଞ୍ଚାୟତ ସ୍ତରରେ ଏହାର କାର୍ଯ୍ୟକ୍ରମ ବିସ୍ତାର କରିବା ପାଇଁ ଯୋଜନା କରିଛି। ଓଡ଼ିଆ ଅସ୍ମିତା, ବିକାଶ ଓ ସମାଜିକ ସଚେତନତା ବୃଦ୍ଧି ପାଇଁ ଏହି ମଞ୍ଚ କାର୍ଯ୍ୟ କରିବ ବୋଲି ଆୟୋଜକମାନେ କହିଛନ୍ତି।

କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତା, ପୂର୍ବତନ ପ୍ରଶାସକ ଓ ସାମ୍ବାଦିକମାନେ ଯୋଗଦେଇଥିଲେ। ଏହି ଅବସରରେ ବିଜୁ ପଟ୍ଟନାୟକଙ୍କ ଜୀବନ ଉପରେ ଆଧାରିତ ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରଦର୍ଶିତ ହୋଇଥିଲା।