ନୂଆଦିଲ୍ଲୀ: କେନ୍ଦ୍ର ସରକାର ତାଙ୍କ କର୍ମଚାରୀ ଓ ପେନସନଭୋଗୀମାନଙ୍କ ପାଇଁ ମହଙ୍ଗା ଭତ୍ତା (DA) ୨ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରି ଦେଇଛନ୍ତି। ଏହା ଫଳରେ ବର୍ତ୍ତମାନ ୫୮ ପ୍ରତିଶତ ଥିବା ମହଙ୍ଗା ଭତ୍ତା ବୃଦ୍ଧି ପାଇ ୬୦ ପ୍ରତିଶତକୁ ପହଞ୍ଚିଛି। ଏହି ବୃଦ୍ଧି ଜାନୁଆରି ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ।
କେନ୍ଦ୍ର କ୍ୟାବିନେଟ୍ର ଏହି ସିଦ୍ଧାନ୍ତ ପରେ ପ୍ରାୟ ୫୦ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀ ସିଧାସଳଖ ଭାବେ ଲାଭାନ୍ୱିତ ହେବେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ Ashwini Vaishnaw ବୈଠକ ପରେ ଏହି ସୂଚନା ଦେଇଥିଲେ।
ଗତବର୍ଷ ଅକ୍ଟୋବରରେ ମଧ୍ୟ କେନ୍ଦ୍ର ସରକାର ୩ ପ୍ରତିଶତ DA ବୃଦ୍ଧି କରିଥିଲେ, ଯାହା ଜୁଲାଇରୁ ପ୍ରଭାବୀ ହୋଇଥିଲା। ନୂତନ ବୃଦ୍ଧି ଫଳରେ ସରକାରଙ୍କ ରାଜକୋଷ ଉପରେ ପ୍ରତିବର୍ଷ ପ୍ରାୟ ୬,୭୯୧ କୋଟି ଟଙ୍କାର ଅତିରିକ୍ତ ଭାର ପଡିବ।
ଏପରି ସମୟରେ National Council Joint Consultative Machinery (NC-JCM) ପକ୍ଷରୁ ଅଷ୍ଟମ ବେତନ କମିସନ ଶୀଘ୍ର ଲାଗୁ କରିବା ଓ ଫିଟ୍ମେଣ୍ଟ ଫ୍ୟାକ୍ଟରକୁ ୩.୮୩ କରିବା ପାଇଁ ଦାବି ଉଠିଛି।
ସାଧାରଣତଃ ଜାନୁଆରି ମାସର DA ବୃଦ୍ଧି ଘୋଷଣା ମାର୍ଚ୍ଚରେ ହୋଇଥାଏ, କିନ୍ତୁ ଏଥର ବିଳମ୍ବ ହେବାରୁ କର୍ମଚାରୀ ମହଳରେ ଅସନ୍ତୋଷ ଦେଖାଦେଇଥିଲା। ଏବେ ଏହି ଘୋଷଣା ପରେ ସେମାନଙ୍କ ମଧ୍ୟରେ ସନ୍ତୋଷ ଦେଖାଯାଇଛି।




