ଯାଜପୁର: ସୁକିନ୍ଦା ବ୍ଲକ କାଳିଆପାଣି ସାରୁଆବିଲ ସ୍କୁଲରୁ ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ପିଲାଙ୍କୁ ଦଣ୍ଡ ଦେବା ନାଁରେ ପ୍ରଧାନଶିକ୍ଷକ ସେମାନଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ଡାଳ ପୁରାଇ ଦେଇଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି।

ଗତ ୧୭ ତାରିଖରେ କୌଣସି କାରଣରୁ ରାଗିଯାଇ ପ୍ରଧାନଶିକ୍ଷକ ଜଣକ ୧୦ରୁ ଅଧିକ ଛାତ୍ରଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ଡାଳ ପୁରାଇ ଦେଇଥିଲେ। ବିଛୁଆତି ଯୋଗୁଁ ପିଲାମାନଙ୍କ ଦେହ ପ୍ରବଳ କୁଣ୍ଡାଇ ହେବା ସହ ସେମାନେ ଗୁରୁତର ହୋଇପଡ଼ିଥିଲେ। ଅଭିଭାବକମାନେ ଏହା ଜାଣିବା ପରେ ସ୍କୁଲ ଫାଟକ ଆଗରେ ଧାରଣା ଦେବା ସହ ଉତ୍ତେଜନା ସୃଷ୍ଟି ହୋଇଥିଲା। ଯଦିଓ ଶିକ୍ଷକ ଜଣକ ଲିଖିତ ଭାବେ ନିଜ ଦୋଷ ସ୍ୱୀକାର କରିଥିଲେ, ତଥାପି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା।

ଏହି ସମ୍ବେଦନଶୀଳ ମାମଲାକୁ ଗୁରୁତର ସହ ନେଇ ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ (BEO) ବାସୁଦେବ ଦେହୁରୀ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି।ଶିକ୍ଷା ବିଭାଗର ଏହି କାର୍ଯ୍ୟାନୁଷ୍ଠାନ ପରେ ସ୍ଥାନୀୟ ଅଭିଭାବକଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଦେଇଛି। ସରକାରୀ ନିୟମ ଅନୁସାରେ ସ୍କୁଲରେ ପିଲାଙ୍କୁ ଶାରୀରିକ କିମ୍ବା ମାନସିକ ନିର୍ଯାତନା ଦେବା ଏକ ଗୁରୁତର ଅପରାଧ ଅଟେ।