ନବରଙ୍ଗପୁର: ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ସପ୍ତମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସେବାଶ୍ରମ ସ୍କୁଲର ନିଲମ୍ବିତ ପ୍ରଧାନଶିକ୍ଷକଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇଛି।
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଅଞ୍ଚଳର ଏକ ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀଙ୍କୁ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପୋଲିସ ଗିରଫ କରିଛି। ଆଜି ତାଙ୍କୁ ପକ୍ସୋ (POCSO) କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍ ପଠାଯାଇଛି।
ସ୍କୁଲ ପରିସର ମଧ୍ୟରେ ସେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ କଥିତ ଭାବେ ଅସଦାଚରଣ ଓ ନିର୍ଯାତନା ଦେଉଥିଲେ।ଛାତ୍ରୀ ଜଣକ ନିଜ ପରିବାରକୁ ଏ ସମ୍ପର୍କରେ ଜଣାଇବା ପରେ, ପରିବାର ପକ୍ଷରୁ ଜିଲ୍ଲା ମଙ୍ଗଳ ଅଧିକାରୀ (DWO)ଙ୍କ ନିକଟରେ ଅଭିଯୋଗ କରାଯାଇଥିଲା।
ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ଓ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦା ଅଭିଯୁକ୍ତଙ୍କ ବିରୋଧରେ କଠୋର ଦଣ୍ଡାଦେଶ ଏବଂ ଆବାସିକ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଭଳି ଘଟଣା ଶିକ୍ଷା ମନ୍ଦିରକୁ କଳଙ୍କିତ କରୁଛି। ଆବାସିକ ବିଦ୍ୟାଳୟରେ ଛାତ୍ରୀମାନେ ଯେପରି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବେ, ସେଥିପାଇଁ ପ୍ରଶାସନ ବିହିତ ପଦକ୍ଷେପ ନେବା ଜରୁରୀ।




