ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଲିଭ୍-ଇନ୍ ସମ୍ପର୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ବିବାହ ବିନା ଏକାଠି ରହୁଥିବା ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ସହମତିରେ ହୋଇଥିଲେ, ପରେ ସେମାନେ ଅଲଗା ହେଲେ ଏହାକୁ ଦୁଷ୍କର୍ମ ମାମଲା ଭାବେ ଗଣାଯିବ ନାହିଁ।

ଏହି ମାମଲାର ଶୁଣାଣି ସମୟରେ ଜଷ୍ଟିସ୍ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠ ଏହି ମତ ପ୍ରକାଶ କରିଥିଲେ। ମାମଲାରେ ଜଣେ ମହିଳା ତାଙ୍କ ଲିଭ୍-ଇନ୍ ସହଭାଗୀଙ୍କ ବିରୋଧରେ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ଦୁହେଁ ଦୀର୍ଘ ସମୟ ଧରି ଏକାଠି ରହିଥିବା ସହିତ ସେମାନଙ୍କର ଜଣେ ସନ୍ତାନ ମଧ୍ୟ ରହିଛି।

ଶୁଣାଣି ସମୟରେ କୋର୍ଟ ପ୍ରଶ୍ନ କରିଥିଲେ ଯେ, ଯଦି ଦୁହେଁ ସହମତିରେ ସମ୍ପର୍କ ରଖିଥିଲେ, ତେବେ ପରେ ଅଲଗା ହେବା ପରେ ଏହାକୁ ଅପରାଧ କେମିତି କୁହାଯାଇପାରିବ? କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏପରି ମାମଲାରେ ଅନେକ ସମୟରେ ସମ୍ପର୍କ ଭାଙ୍ଗିବା ପରେ ଦୁଷ୍କର୍ମ ଅଭିଯୋଗ ଆଣାଯାଏ, ଯାହାକି ଆଇନ ଦୃଷ୍ଟିରେ ସବୁବେଳେ ଯୋଗ୍ୟ ନୁହେଁ।

ମହିଳାଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, ଅଭିଯୁକ୍ତ ପୂର୍ବରୁ ବିବାହିତ ଥିବା ସତ୍ତ୍ୱେ ସେଥି ତଥ୍ୟ ଲୁଚାଇ ରଖିଥିଲେ। ତେବେ କୋର୍ଟ ମୂଳ ମୁଦ୍ଦା ଭାବେ ସହମତିକୁ ଗୁରୁତ୍ୱ ଦେଇଛନ୍ତି।

ସୁପ୍ରିମ୍‌କୋର୍ଟ ମହିଳାଙ୍କ ପ୍ରତି ସହାନୁଭୂତି ଜଣାଇ ତାଙ୍କୁ ପିଲା ପାଇଁ ଭରଣପୋଷଣ ଦାବି କରିବାକୁ ପରାମର୍ଶ ଦେଇଛନ୍ତି। ସେହିସହିତ କୋର୍ଟ କହିଛନ୍ତି ଯେ, ଲିଭ୍-ଇନ୍ ସମ୍ପର୍କରୁ ଜନ୍ମ ନେଇଥିବା ସନ୍ତାନକୁ କୌଣସି ଭାବେ ଅବୈଧ ବୋଲି ଗଣାଯିବ ନାହିଁ।

ଶେଷରେ, କୋର୍ଟ ଉଭୟ ପକ୍ଷକୁ ଆପସେ ମଧ୍ୟରେ ବୁଝାମଣା କରି ମାମଲାର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି।