କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବ୍ୟାଙ୍କ୍ରୁ ଟଙ୍କା ପାଇବା ପାଇଁ ଜଣେ ବ୍ୟକ୍ତି ନିଜ ମୃତ ଭଉଣୀର କଙ୍କାଳ ଧରି ବ୍ୟାଙ୍କ୍ ପହଞ୍ଚିବା ଭଳି ଏକ ଅଭାବନୀୟ ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଉତ୍ତର ରାଜସ୍ୱ ମଣ୍ଡଳାୟୁକ୍ତ (RDC)ଙ୍କୁ ଏକ ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ମୃତ ଭଉଣୀ କାଲରା ମୁଣ୍ଡାଙ୍କ ଜମା ଟଙ୍କା ଉଠାଇବା ପାଇଁ ବାରମ୍ବାର ବ୍ୟାଙ୍କ୍କୁ ଦୌଡ଼ି ନିରାଶ ହୋଇଥିଲେ। ଅଭିଯୋଗ ଅନୁଯାୟୀ, ବ୍ୟାଙ୍କ୍ କର୍ତ୍ତୃପକ୍ଷ ମୃତ୍ୟୁ ପ୍ରମାଣପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ମାଗିବାରେ ବିଳମ୍ବ କରିଥିଲେ, ଯେଉଁଥିପାଇଁ ଜିତୁ ଅସହାୟ ହୋଇ ଦୁଇ ମାସ ତଳୁ ପୋତା ହୋଇଥିବା ଭଉଣୀର ଶବକୁ ଖୋଳି ତା’ର କଙ୍କାଳକୁ ଏକ ବ୍ୟାଗରେ ପୂରାଇ ବ୍ୟାଙ୍କ୍କୁ ନେଇ ଆସିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଉତ୍ତର ରାଜସ୍ୱ ମଣ୍ଡଳାୟୁକ୍ତଙ୍କୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଏବଂ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଶାସନ ଓ ବ୍ୟାଙ୍କିଙ୍ଗ୍ କର୍ମଚାରୀମାନେ ସାଧାରଣ ଜନତା, ବିଶେଷକରି ଗରିବ ଓ ଆଦିବାସୀମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ଉଚିତ୍।ଯଦି ତଦନ୍ତରେ କୌଣସି ଅଧିକାରୀଙ୍କ ଅବହେଳା ପ୍ରମାଣିତ ହୁଏ, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଜିତୁ ମୁଣ୍ଡାଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୩୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହାସହ ତାଙ୍କ ଭଉଣୀଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରାଯାଇ ବ୍ୟାଙ୍କ୍ରେ ଅଟକି ରହିଥିବା ପ୍ରାୟ ୧୯,୪୦୨ ଟଙ୍କା ମଧ୍ୟ ହସ୍ତାନ୍ତର କରାଯାଇଛି।ଏହି ଘଟଣା ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବାର ଜଟିଳତା ଓ ମାନସିକତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସରକାର ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ସୁଧାରମୂଳକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି।




