ଅହମ୍ମଦାବାଦ: କ୍ରମାଗତ ଭାବେ ନିଜର ଗଡ଼ ରକ୍ଷା କରି ଚାଲିଥିବା ଭାରତୀୟ ଜନତା ପାର୍ଟି (ବିଜେପି), ୨୦୨୬ ଗୁଜରାଟ ସ୍ଥାନୀୟ ନିକାୟ ନିର୍ବାଚନରେ ଏକ ପ୍ରଚଣ୍ଡ ବିଜୟ ହାସଲ କରିଛି। ରାଜ୍ୟର ସମସ୍ତ ୧୫ଟି ମ୍ୟୁନିସିପାଲ୍ କର୍ପୋରେସନ୍‌ରେ ବିଜେପି କ୍ଲିନ୍ ସୁଇପ୍ କରିଥିବା ବେଳେ ଆମ୍ ଆଦମୀ ପାର୍ଟି (ଆପ୍) ସମ୍ପୂର୍ଣ୍ଣ ଭାବେ ପରାସ୍ତ ହୋଇଛି।

ଅନ୍ୟପଟେ କଂଗ୍ରେସର ଆସନ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି।ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ବିଜେପିର ଏହି ପ୍ରଦର୍ଶନ ୨୦୨୧ ତୁଳନାରେ ବହୁତ ଶକ୍ତିଶାଳୀ ରହିଛି।

ମ୍ୟୁନିସିପାଲ୍ କର୍ପୋରେସନ୍‌ରେ ବିଜେପିର ଆସନ ସଂଖ୍ୟା ୨୦୨୧ରେ ୪୮୩ ଥିବା ବେଳେ ୨୦୨୬ରେ ଏହା ପ୍ରାୟ ଦ୍ୱିଗୁଣିତ ହୋଇ ୯୩୭ରେ ପହଞ୍ଚିଛି।୨୦୨୧ରେ ୨୭ଟି ଆସନ ଜିତି ଚମକ ସୃଷ୍ଟି କରିଥିବା ଆମ୍ ଆଦମୀ ପାର୍ଟି ଚଳିତ ନିର୍ବାଚନରେ ମାତ୍ର ୪ଟି ଆସନରେ ସୀମିତ ରହିଛି।କଂଗ୍ରେସ ୫୫ଟି ଆସନରୁ ବୃଦ୍ଧି ପାଇ ୯୫ଟି ଆସନ ହାସଲ କରିବାରେ ସଫଳ ହୋଇଛି।

ସହରାଞ୍ଚଳରେ ବିଜେପିର ଦବଦବା

ଗୁଜରାଟର ସହରାଞ୍ଚଳଗୁଡ଼ିକ ବିଜେପିର ଦୁର୍ଗ ଭାବେ ପ୍ରମାଣିତ ହୋଇଛି।

ଅହମ୍ମଦାବାଦ: ୧୯୨ଟି ଆସନ ମଧ୍ୟରୁ ବିଜେପି ୧୬୦ଟି ଆସନ ହାସଲ କରିଛି।

ସୁରଟ: ସବୁଠାରୁ ବଡ଼ ପରିବର୍ତ୍ତନ ସୁରଟରେ ଦେଖିବାକୁ ମିଳିଛି, ଯେଉଁଠାରେ ଆପ୍‌ର ଆସନ ସଂଖ୍ୟା ୨୭ରୁ ୪କୁ ଖସି ଆସିଛି।

ନୂତନ କର୍ପୋରେସନ୍: ମୋର୍ବି, ପୋରବନ୍ଦର ଏବଂ ନୂତନ ଭାବେ ଗଠିତ ବାପି ଓ ନଭସାରି କର୍ପୋରେସନ୍‌ରେ ବିଜେପି ସମ୍ପୂର୍ଣ୍ଣ ବିଜୟ ପଞ୍ଜିକୃତ କରିଛି।

ଯଦିଓ ସହରାଞ୍ଚଳରେ ଆପ୍ ବିଫଳ ହୋଇଛି, ତଥାପି ନର୍ମଦା ଜିଲ୍ଲା ପଞ୍ଚାୟତରେ ବିଜୟ ସହ ଦଳ ଗ୍ରାମାଞ୍ଚଳରେ ନିଜର ଖାତା ଖୋଲିଛି। କଂଗ୍ରେସ ଅହମ୍ମଦାବାଦରେ ୩୨ଟି ଏବଂ ରାଜକୋଟରେ ୭ଟି ଆସନ ଜିତି ନିଜର ଉପସ୍ଥିତି ଜାହିର କରିଥିଲେ ହେଁ କୌଣସି ବଡ଼ ନିକାୟରେ କ୍ଷମତା ଦଖଲ କରିବାରେ ବିଫଳ ହୋଇଛି।

ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ଏହି ଫଳାଫଳ ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଥିବା ଦର୍ଶାଉଛି। ପ୍ରାୟ ୯,୨୦୦ଟି ଆସନ ପାଇଁ ହୋଇଥିବା ଏହି ନିର୍ବାଚନରେ ବିଜେପିର ଷ୍ଟ୍ରାଇକ୍ ରେଟ୍ ସର୍ବାଧିକ ରହିଛି। ୨୦୨୭ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ବିଜୟ ବିଜେପି ପାଇଁ ମନୋବଳ ବୃଦ୍ଧିକାରୀ ସାବ୍ୟସ୍ତ ହୋଇଥିବା ବେଳେ ବିରୋଧୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।