ବଲାଙ୍ଗୀର: ଶନିବାର ଭୋର ସମୟରେ ବଲାଙ୍ଗୀର ଜିଲ୍ଲାରେ ଏକ ଅପ୍ରତ୍ୟାଶିତ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏହି ଝଟକା ଯୋଗୁଁ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ସୂଚନା ଅନୁଯାୟୀ, ପ୍ରାୟ ଭୋର ୪ଟା ୪୦ ମିନିଟ୍ ସମୟରେ ଏହି ମୃଦୁ ଭୂକମ୍ପ ହୋଇଥିଲା। ଏହା ମାତ୍ର କିଛି ସେକେଣ୍ଡ ପାଇଁ ରହିଥିଲେ ମଧ୍ୟ ଶୋଇଥିବା ଅବସ୍ଥାରେ ଲୋକଙ୍କୁ ଏହି ଝଟକା ବେଶ୍‌ ଅନୁଭୂତ ହୋଇଥିଲା।

ଭୂକମ୍ପର ଝଟକା ଅତି ସାମାନ୍ୟ ଥିଲା, କିନ୍ତୁ ଏହା ହଠାତ୍ ହୋଇଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ।ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଭୂକମ୍ପରେ କୌଣସି ଜୀବନହାନି କିମ୍ବା ବଡ଼ ଧରଣର ସମ୍ପତ୍ତି ନଷ୍ଟ ହେବାର ଖବର ମିଳିନାହିଁ। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି।ଭୋର ସମୟରେ ଅନ୍ଧାର ଥିବା ସତ୍ତ୍ୱେ ଲୋକେ ପରିବାର ସହ ଖୋଲା ସ୍ଥାନକୁ ଚାଲି ଆସିଥିଲେ। ଅନେକ ଲୋକ ସୋସିଆଲ ମିଡିଆରେ ନିଜର ଅନୁଭୂତି ଶେୟାର କରିଛନ୍ତି।

ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହୋଇଛି ଏବଂ କୌଣସି ବିପଦ ନଥିବାରୁ ଜିଲ୍ଲାବାସୀ ଆଶ୍ୱସ୍ତ ଅଛନ୍ତି। ପ୍ରକୃତିର ଏହି ଅପ୍ରତ୍ୟାଶିତ ଝଟକା ଲୋକଙ୍କ ମନରେ କିଛି ସମୟ ପାଇଁ କୋକୁଆ ଭୟ ସୃଷ୍ଟି କରିଥିଲା।