ଭୁବନେଶ୍ୱର: ଶୁକ୍ରବାର ରାଜଧାନୀ ଭୁବନେଶ୍ୱରରେ ନିଶା କାରବାର ବିରୋଧରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟର ବାଣୀବିହାର କ୍ୟାମ୍ପସରେ ଚଢ଼ାଉ କରାଯାଇ ପ୍ରାୟ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି। ଏହି ବେଆଇନ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।
କୌଣସି ସୂତ୍ରରୁ ସୂଚନା ପାଇ ଅବକାରୀ ଅଧିକାରୀମାନେ ବିଶ୍ୱବିଦ୍ୟାଳୟ ପରିସରରେ ଚଢ଼ାଉ କରିଥିଲେ। ସେଠାରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରାଯାଇଛି, ଯାହା ଏକ ସଂଗଠିତ ନିଶା କାରବାର ଚାଲିଥିବା ଆଡ଼କୁ ସୂଚାଉଛି।ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମଧ୍ୟରୁ ଏଭଳି ମାରାତ୍ମକ ନିଶାଦ୍ରବ୍ୟ ମିଳିବା ପରେ କ୍ୟାମ୍ପସର ସୁରକ୍ଷା ଏବଂ ନିରୀକ୍ଷଣ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅଧିକାରୀଙ୍କ କହିବା ଅନୁସାରେ, ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ନିଶା କାରବାର ସକ୍ରିୟ ରହିଥିଲା। ବର୍ତ୍ତମାନର ଜବତ ପରିମାଣରୁ ଏହାର ବ୍ୟାପକତା ସ୍ପଷ୍ଟ ହେଉଛି।ଏହି କାରବାର ପଛରେ କୌଣସି ବଡ଼ ନେଟୱାର୍କର ହାତ ଅଛି କି ନାହିଁ ଏବଂ ଶିକ୍ଷାନୁଷ୍ଠାନର ଛାତ୍ରମାନଙ୍କୁ ଟାର୍ଗେଟ କରାଯାଉଥିଲା କି ନାହିଁ, ସେ ନେଇ ତଦନ୍ତକାରୀ ଦଳ ଖୋଳତାଡ଼ କରୁଛନ୍ତି।
ଏହି ରାକେଟ୍ ସହ ଜଡ଼ିତ ଅନ୍ୟାନ୍ୟ ସ୍ଥାନଗୁଡ଼ିକର ସନ୍ଧାନ ପାଇଁ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଅତିଶୀଘ୍ର ଏହି କାରବାର ସହ ଜଡ଼ିତ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ।




