ଓଡ଼ିଶା କ’ଣ ୟୁପି ନା ବିହାର ହୋଇଗଲାଣି?
ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୋହନ ସରକାରଙ୍କୁ କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ନିର୍ବାଚନ ସମୟରେ ବିଜେପି ଦେଇଥିବା ‘ଓଡ଼ିଶା ହେବ ଏକ ନମ୍ବର’ ନାରାକୁ କଟାକ୍ଷ କରି ସେ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶା ଅପରାଧ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ନମ୍ବର ୱାନ ପାଲଟିଛି।
ଅରୁଣ ସାହୁ ଅଭିଯୋଗ କରିଛନ୍ତି ଯେ, ହତ୍ୟା, ଦୁଷ୍କର୍ମ ଏବଂ ଅପହରଣ ଭଳି ସଂଗୀନ ମାମଲାରେ ଓଡ଼ିଶା ଏବେ ଶୀର୍ଷରେ ରହିଛି। ହିଞ୍ଜିଳି, କଣାସ, ଢେଙ୍କାନାଳରେ ଘଟିଥିବା ଦୁଷ୍କର୍ମ ଘଟଣା ଏବଂ ବାଲିଅନ୍ତାର ମର୍ମନ୍ତୁଦ ଦୃଶ୍ୟ ସଭ୍ୟ ସମାଜକୁ ସ୍ତବ୍ଧ କରିଦେଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଅପରାଧ ଘଟୁଛି ଏବଂ ତାର ଭିଡିଓ ମଧ୍ୟ ରେକର୍ଡିଂ କରାଯାଉଛି, ଯାହା ଅପରାଧୀଙ୍କ ମନରେ ପୋଲିସର ଭୟ ନଥିବା ପ୍ରମାଣିତ କରୁଛି।
ପୋଲିସ ଉପସ୍ଥିତିରେ ହତ୍ୟାକାଣ୍ଡ ଘଟୁଥିବାରୁ ଓଡ଼ିଶା ଏବେ ୟୁପି କିମ୍ବା ବିହାର ଭଳି ସ୍ଥିତିକୁ ଚାଲିଗଲାଣି କି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟର ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ସରକାର ଏହାକୁ ନେଇ ନା ସମ୍ବେଦନଶୀଳ ଅଛନ୍ତି ନା ଗୁରୁତ୍ୱର ସହ ସମୀକ୍ଷା କରୁଛନ୍ତି। ସରକାର କେବଳ ନିର୍ବାଚନ ଜିତି ଖୁସି ମନାଉଛନ୍ତି, କିନ୍ତୁ ସାଧାରଣ ଲୋକ ଅସୁରକ୍ଷିତ। ଯଦି ସରକାର ଆଇନ ଶୃଙ୍ଖଳା ରକ୍ଷା କରିବାରେ ଅସମର୍ଥ, ତେବେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଅରୁଣ ସାହୁ ଦାବି କରିଛନ୍ତି।
ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ “ରାଜ୍ୟକୁ ଏବେ କେବଳ ଜଗନ୍ନାଥ ଭରସା” ବୋଲି ସେ କ୍ଷୋଭର ସହ କହିଛନ୍ତି।




