ବାଲିଅନ୍ତା ହତ୍ୟାକାଣ୍ଡ: ‘ଆମେ ନୁହେଁ, ଅନ୍ୟ କାହାକୁ ଟାର୍ଗେଟ କରି ଆମକୁ ଆକ୍ରମଣ କଲେ’, ମୁହଁ ଖୋଲିଲେ ପ୍ରତ୍ୟକ୍ଷଦର୍ଶୀ ଯୁବତୀ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଯୁବକ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ବୀଭତ୍ସ ହତ୍ୟା ମାମଲାରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣା ସମୟରେ ଥିବା ଯୁବତୀ ଜଣକ ସେଦିନର ସେହି ଭୟାନକ ସ୍ଥିତି ବିଷୟରେ ଗଣମାଧ୍ୟମ ଆଗରେ ନିଜର ବୟାନ ରଖିଛନ୍ତି।ଯୁବତୀଙ୍କ କହିବା ଅନୁଯାୟୀ, ଦିନ ପ୍ରାୟ ୧୧ଟା ସମୟରେ ସେ ଓ ତାଙ୍କ ସାଥି ସ୍କୁଟିରେ ମାଉସୀ ଘରକୁ ଯାଉଥିବା ବେଳେ ପଛରୁ ଏକ ବାଇକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଏହାପରେ କିଛି ନିଶାସକ୍ତ ଯୁବକ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।

ଯୁବତୀ ଜଣକ କହିଛନ୍ତି, “ସେମାନେ ଅନ୍ୟ କୌଣସି ଝିଅକୁ ଟାର୍ଗେଟ କରି ଆମକୁ ଆକ୍ରମଣ କଲେ। ଅନ୍ୟ ଜଣେ ଯୁବକ ‘ଏହି ଝିଅ ନୁହେଁ’ ବୋଲି କହିବା ସତ୍ତ୍ୱେ ମଧ୍ୟ ନିଶାସକ୍ତ ଯୁବକ ଜଣକ ମୋ ସାଙ୍ଗକୁ ନିର୍ଦ୍ଧୂମ ପିଟିଥିଲେ।” ଆକ୍ରମଣକାରୀମାନେ ସାଙ୍ଗର ମୁଣ୍ଡକୁ ବାରମ୍ବାର ପିଟିବା ସହ ରୁମ୍‌କୁ ନେଇଯିବା ପାଇଁ ଧମକ ଦେଉଥିଲେ। ସ୍ଥାନୀୟ ଲୋକ ପହଞ୍ଚିବାରୁ ଆମ ଜୀବନ ବଞ୍ଚିଯାଇଥିଲା।

ସୌମ୍ୟରଞ୍ଜନଙ୍କ ହତ୍ୟା ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର। ଆଜି ସକାଳୁ ପୁଲିସ ଡିଜି ଏବଂ ଡିସିପି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।