କୋରିଆ ଦ୍ୱୀପପୁଞ୍ଜରେ ବଢୁଛି ଉତ୍ତେଜନା: ଦକ୍ଷିଣ କୋରିଆ ସୀମାରେ ଭାରୀ କମାଣ ମୁତୟନ କରିବ ଉତ୍ତର କୋରିଆ
ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆ ଚଳିତ ବର୍ଷ ନିଜର ସାମରିକ ଶକ୍ତିକୁ ଦ୍ୱିଗୁଣିତ କରିବାକୁ ଯାଉଛି। ଶୁକ୍ରବାର ଦିନ ଉତ୍ତର କୋରିଆ ପକ୍ଷରୁ କୁହାଯାଇଛି ଯେ, ସେ ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ଅତ୍ୟାଧୁନିକ କମାଣ ପ୍ରଣାଳୀ (Artillery Systems) ମୁତୟନ କରିବ, ଯାହା ସିଧାସଳଖ ଦକ୍ଷିଣ କୋରିଆର ରାଜଧାନୀ ସିଓଲ୍କୁ ଟାର୍ଗେଟ୍ କରିପାରିବ। ଏହା ସହିତ ଆସନ୍ତା ଜୁନ୍ ମାସରେ ପ୍ରଥମ ନୌସେନା ‘ଡେଷ୍ଟ୍ରୋୟର’ (Navy Destroyer) ଜାହାଜ ମଧ୍ୟ ସେବାରେ ଅନ୍ତର୍ଭୁକ୍ତ ହେବ।
ଉତ୍ତର କୋରିଆର ସରକାରୀ ସମ୍ବାଦ ସଂସ୍ଥା KCNA ଅନୁଯାୟୀ, କିମ୍ ଜୋଙ୍ଗ୍ ଉନ୍ ବୁଧବାର ଏକ ଅସ୍ତ୍ରଶସ୍ତ୍ର କାରଖାନା ପରିଦର୍ଶନ କରିଥିଲେ। ସେଠାରେ ସେ ୧୫୫ ମିଲିମିଟରର ଅଟୋମେଟିକ୍ ହୋୱିଜର୍ କମାଣ ଉତ୍ପାଦନର ସମୀକ୍ଷା କରିଛନ୍ତି। ଏହି କମାଣଗୁଡ଼ିକର ମାରକ କ୍ଷମତା ୬୦ କିଲୋମିଟରରୁ ଅଧିକ ବୋଲି ଦାବି କରାଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ଦକ୍ଷିଣ ସୀମାରେ ମୁତୟନ କରାଯିବ।
ଗତ ମେ ୬ ତାରିଖରେ ଦକ୍ଷିଣ କୋରିଆ ଦାବି କରିଥିଲା ଯେ, ଉତ୍ତର କୋରିଆ ନିଜ ସମ୍ବିଧାନରୁ ‘କୋରିଆ ଏକୀକରଣ’ ଶବ୍ଦକୁ ହଟାଇ ଦେଇଛି। କିମ୍ ଜୋଙ୍ଗ୍ ଉନ୍ ଏବେ ଦକ୍ଷିଣ କୋରିଆକୁ ଏକ ଭାଇ ଭାବେ ନୁହେଁ ବରଂ ସମ୍ପୂର୍ଣ୍ଣ ଶତ୍ରୁ ରାଷ୍ଟ୍ର ଭାବେ ଗ୍ରହଣ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଉତ୍ତର କୋରିଆ ନିଜର ପଶ୍ଚିମ ଉପକୂଳରେ ନୂତନ ବିଧ୍ୱଂସକାରୀ ପୋତ ‘ଚୋ ହ୍ୟୋନ୍’ର ପରୀକ୍ଷଣ ଶେଷ କରିଛି। କିମ୍ ନିର୍ଦ୍ଦେଶ ଦେଇଛନ୍ତି ଯେ ଜୁନ୍ ମଧ୍ୟଭାଗ ସୁଦ୍ଧା ଏହାକୁ ନୌସେନାରେ ସାମିଲ କରାଯାଉ। ଏହି ପରିଦର୍ଶନ ସମୟରେ କିମ୍ଙ୍କ ସହ ତାଙ୍କ ଝିଅ ମଧ୍ୟ ନଜର ଆସିଥିଲେ। ବାପା-ଝିଅଙ୍କ ଏହି ମିଳିତ ଗସ୍ତ ପରେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି ଯେ କିମ୍ଙ୍କ ଝିଅ ହିଁ ଭବିଷ୍ୟତରେ ଉତ୍ତର କୋରିଆର ଶାସନ ଗାଦି ସମ୍ଭାଳିବେ।
ଉତ୍ତର କୋରିଆର ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ଏବେ କେବଳ ଦକ୍ଷିଣ କୋରିଆ ନୁହେଁ ବରଂ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି। ଉଭୟ ଦେଶ ମଧ୍ୟରେ ଯୁଦ୍ଧର ଆଶଙ୍କା ପୁଣି ଥରେ ଘନେଇବାରେ ଲାଗିଛି।




