କୋଲକାତା: ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ବିଜେପି କ୍ଷମତାକୁ ଆସିବା ପରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ରାଜନୈତିକ ଉତ୍ସୁକତା ବଢ଼ିଛି। ଏହି ପରିପ୍ରେକ୍ଷିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କୋଲକାତା ପହଞ୍ଚି ବିଧାୟକ ଦଳ ବୈଠକରେ ଯୋଗଦେଇଛନ୍ତି। ତାଙ୍କ ଆଗମନ ସହ ରାଜ୍ୟର ରାଜନୀତିକ ପରିବେଶ ଆହୁରି ସରଗରମ ହୋଇଯାଇଛି।
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବା ପରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ଅନ୍ୟ ବରିଷ୍ଠ ବିଜେପି ନେତାମାନେ ଅମିତ ଶାହଙ୍କୁ ସ୍ୱାଗତ କରିଥିଲେ। ପରେ ସେ ନୋଭୋଟେଲ ହୋଟେଲରେ ଆୟୋଜିତ ବିଧାୟକ ଦଳ ବୈଠକରେ ଯୋଗଦେଇଥିଲେ। ବିଶ୍ୱ ବାଙ୍ଗଲା କନଭେନସନ୍ ସେଣ୍ଟରରେ ହେଉଥିବା ଏହି ବୈଠକରେ ନୂତନ ବିଧାୟକ ଦଳ ନେତା ଚୟନ ହେବାର ସମ୍ଭାବନା ରହିଛି।
ମୁଖ୍ୟମନ୍ତ୍ରୀ ପଦ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କ ନାମ ସର୍ବାଗ୍ରେ ରହିଛି। ସେ ଚଳିତ ନିର୍ବାଚନରେ ଭବାନୀପୁର ଆସନରେ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିବା ବେଳେ, ୨୦୨୧ରେ ନନ୍ଦୀଗ୍ରାମରେ ମଧ୍ୟ ତାଙ୍କୁ ହରାଇଥିଲେ। ଏହି ଦୁଇଟି ବଡ଼ ଜିତକୁ ଦୃଷ୍ଟିରେ ରଖି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ଶକ୍ତିଶାଳୀ ଦାବିଦାର ବୋଲି ଦେଖାଯାଉଛି।
ଏହା ସହିତ ମେ’ ୯ ତାରିଖରେ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ, ବିଜେପି ଅଧ୍ୟକ୍ଷ ନିତିନ ନବୀନ ଓ ଏନଡିଏ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ, ତୃଣମୂଳ କଂଗ୍ରେସ ନିର୍ବାଚନ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଛି। ମମତା ବାନାର୍ଜୀ କାଳୀଘାଟରେ ଦଳର ନବନିର୍ବାଚିତ ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ବୈଠକ କରି ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ଏହାର ମଧ୍ୟରେ ରାଜ୍ୟପାଳଙ୍କ ଦ୍ୱାରା ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କରାଯାଇଥିବାରୁ ରାଜ୍ୟରେ ରାଜନୀତିକ ଚଞ୍ଚଳତା ଆହୁରି ବଢ଼ିଛି।




