ନୂଆଦିଲ୍ଲୀ: ଦୀର୍ଘ ୨୨ ବର୍ଷ କାଳ ଜେଲ୍ରେ ବନ୍ଦୀ ଥିବା ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ଶୁଣାଣି ସମୟରେ ଜେଲ୍ ଆପିଲ୍କୁ କେବଳ “ବିଳମ୍ବ” ଦର୍ଶାଇ ଖାରଜ କରିଦେଇଥିବା ଓଡ଼ିଶା ହାଇକୋର୍ଟଙ୍କ ୨୦୧୬ର ନିଷ୍ପତ୍ତିକୁ ସର୍ବୋଚ୍ଚ ଅଦାଲତ “ଅତ୍ୟନ୍ତ ବିଚଳିତ କଲାଭଳି” ବୋଲି ଅଭିହିତ କରିଛନ୍ତି।
ଅର୍ଜୁନ ଜାନୀ ଓରଫ ଟୁଣ୍ଟୁନ୍ଙ୍କୁ ୨୦୦୬ ମସିହାରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା। ସେ ଏହା ବିରୋଧରେ ହାଇକୋର୍ଟରେ ଆପିଲ୍ କରିଥିଲେ, କିନ୍ତୁ ଆପିଲ୍ କରିବାରେ ୩,୧୫୭ ଦିନ (ପ୍ରାୟ ୯ ବର୍ଷ) ବିଳମ୍ବ ହୋଇଥିବା ଦର୍ଶାଇ ହାଇକୋର୍ଟ ଏହାକୁ ଗ୍ରହଣ କରିନଥିଲେ।
ଜଷ୍ଟିସ ଜେ.ବି. ପାର୍ଦିୱାଲା ଏବଂ ଜଷ୍ଟିସ ଉଜ୍ଜଲ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଯେତେବେଳେ ଜଣେ କଏଦୀ ଜେଲ୍ରୁ ଆପିଲ୍ କରୁଛନ୍ତି ଏବଂ ସେ ପୂର୍ବରୁ ୧୨ ବର୍ଷ ଜେଲ୍ରେ କାଟି ସାରିଛନ୍ତି, ସେତେବେଳେ କୋର୍ଟଙ୍କୁ ଏକ “ବ୍ୟାବହାରିକ ଏବଂ ସହାନୁଭୂତିପୂର୍ଣ୍ଣ ଆଭିମୁଖ୍ୟ” ଗ୍ରହଣ କରିବା ଉଚିତ ଥିଲା। କେବଳ ବୈଷୟିକ କାରଣରୁ କାହାର ନ୍ୟାୟିକ ଅଧିକାରକୁ ଛଡ଼ାଇ ନିଆଯାଇପାରିବ ନାହିଁ।
ସମ୍ବିଧାନର ଧାରା ୧୪୨ (Article 142) ର ପ୍ରୟୋଗ କରି ସୁପ୍ରିମକୋର୍ଟ ଅର୍ଜୁନ ଜାନୀଙ୍କୁ ୧୦,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡ୍ରେ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଲକ୍ଷ୍ୟ କରିଛନ୍ତି ଯେ କୋରାପୁଟ ସର୍କଲ ଜେଲ୍ରେ ଥିବା ବେଳେ ତାଙ୍କର ବ୍ୟବହାର ସନ୍ତୋଷଜନକ ରହିଛି ଏବଂ ସେ ଏହି ୨୨ ବର୍ଷ ମଧ୍ୟରେ ଥରେ ହେଲେ ପାରୋଲ୍ରେ ମଧ୍ୟ ବାହାରକୁ ଆସିନାହାନ୍ତି। କୋରାପୁଟ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA) କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେମାନେ ଅର୍ଜୁନଙ୍କୁ ଦଣ୍ଡ କୋହଳ (Remission) ପାଇଁ ଆବେଦନ କରିବାରେ ସାହାଯ୍ୟ କରନ୍ତୁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୨୮ ତାରିଖରେ ହେବ।




