ଜାକର୍ତ୍ତା: ସୋସିଆଲ ମିଡିଆ ପାଇଁ ଭିଡିଓ ଓ ଫଟୋ ପୋଷ୍ଟ କରିବାର ଆକାଙ୍କ୍ଷା କେବେ କେବେ ଜୀବନ ପାଇଁ ଘାତକ ସାବିତ ହୋଇପାରେ। ଏଭଳି ଏକ ଦୁଃଖଦ ଘଟଣା ଇଣ୍ଡୋନେସିଆର ସକ୍ରିୟ ମାଉଣ୍ଟ ଡୁକୋନୋ ଜ୍ୱାଳାମୁଖୀରେ ଘଟିଛି। ଶୁକ୍ରବାର ହଠାତ୍ ଜ୍ୱାଳାମୁଖୀ ବିସ୍ଫୋରଣ ଘଟିବାରୁ ୩ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମୃତକଙ୍କ ମଧ୍ୟରେ ଦୁଇଜଣ ସିଙ୍ଗାପୁରର ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ବାସିନ୍ଦା ଅଛନ୍ତି। କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୂର୍ବରୁ ବାରମ୍ବାର ସତର୍କବାଣୀ ଜାରି କରାଯାଇଥିଲେ ମଧ୍ୟ ୨୦ ଜଣ ପର୍ବତାରୋହୀ ସୋସିଆଲ ମିଡିଆ କଣ୍ଟେଣ୍ଟ୍ ପ୍ରସ୍ତୁତି ପାଇଁ ନିଷିଦ୍ଧ ଅଞ୍ଚଳକୁ ପ୍ରବେଶ କରି ପାହାଡ଼ ଉପରକୁ ଚଢ଼ିଥିଲେ। ସେହି ସମୟରେ ହଠାତ୍ ଜ୍ୱାଳାମୁଖୀ ବିସ୍ଫୋରଣ ଘଟିଥିଲା।

ବିସ୍ଫୋରଣ ପରେ ଆକାଶ ପ୍ରାୟ ୧୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ କଳା ଧୂଆଁ ଓ ଖରାରେ ଆବୃତ ହୋଇଯାଇଥିଲା। ଘଟଣା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଅଭିଯାନ ଆରମ୍ଭ କରି ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି ଯେ, ଗତ ଡିସେମ୍ବର ମାସରୁ ମାଉଣ୍ଟ ଡୁକୋନୋ ଅଞ୍ଚଳରେ ଭୂକମ୍ପୀୟ ଗତିବିଧି ବୃଦ୍ଧି ପାଇଥିଲା। ଏହି କାରଣରୁ ଜ୍ୱାଳାମୁଖୀ ଚାରିପାଖରେ ପ୍ରାୟ ୪ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳକୁ ବିପଦପୂର୍ଣ୍ଣ ଘୋଷଣା କରାଯାଇ ଲୋକଙ୍କୁ ସେଠାକୁ ନଯିବାକୁ ପରାମର୍ଶ ଦିଆଯାଇଥିଲା।

ପ୍ରଶାନ୍ତ ମହାସାଗରର ‘ରିଙ୍ଗ୍ ଅଫ୍ ଫାୟାର’ ଅଞ୍ଚଳରେ ଅବସ୍ଥିତ ଇଣ୍ଡୋନେସିଆରେ ପ୍ରାୟ ୧୩୦ଟି ସକ୍ରିୟ ଜ୍ୱାଳାମୁଖୀ ରହିଛି। ଏହି କାରଣରୁ ଦେଶଟିରେ ପ୍ରାୟସଃ ଭୂକମ୍ପ ଓ ଜ୍ୱାଳାମୁଖୀ ବିସ୍ଫୋରଣ ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟିଥାଏ। ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ସତର୍କ ରହିବା ସହ ନିଷିଦ୍ଧ ଅଞ୍ଚଳକୁ ନଯିବାକୁ ଅନୁରୋଧ କରାଯାଇଛି।