କୋଲକାତା: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ ପରେ ରାଜନୈତିକ ତାପମାତ୍ରା ବଢ଼ିଛି। ଶନିବାର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଭବ୍ୟ ସମାରୋହରେ ରାଜ୍ୟପାଳ ଆର.ଏନ୍. ରବି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ବିଜେପି ଏହାକୁ ପଶ୍ଚିମବଙ୍ଗରେ ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ବୋଲି କହୁଥିବା ବେଳେ, ତୃଣମୂଳ କଂଗ୍ରେସ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।
ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ନିର୍ବାଚନ କମିସନ, ସରକାରୀ ସଂସ୍ଥା ଏବଂ ନିର୍ବାଚନ ପ୍ରକ୍ରିୟାର ଭୂମିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରାୟ ୩୦ ଲକ୍ଷ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ ଦିଆଯାଇଥିବା ଅଭିଯୋଗ କରି ସେ କହିଛନ୍ତି ଯେ, ନିର୍ବାଚନ ସମୟରେ କେତେକ ସଂସ୍ଥାର ମନୋଭାବ ପକ୍ଷପାତପୂର୍ଣ୍ଣ ଥିଲା। ଗଣତାନ୍ତ୍ରିକ ସଂସ୍ଥାମାନେ ନିରପେକ୍ଷ ଭାବେ କାମ କରିବା ଉଚିତ୍ ଥିଲେ ମଧ୍ୟ ସେପରି ହୋଇନଥିବା ତାଙ୍କ ଅଭିଯୋଗ।
ଅଭିଷେକ କହିଛନ୍ତି ଯେ, ନିର୍ବାଚନର ନିରପେକ୍ଷତା, ସ୍ୱଚ୍ଛତା ଓ ବିଶ୍ୱସନୀୟତା ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି। ଗଣନା ପ୍ରକ୍ରିୟାରୁ ଆରମ୍ଭ କରି ଇଭିଏମ୍ର ପରିଚାଳନା ଓ ଗତିବିଧି ପର୍ଯ୍ୟନ୍ତ ଅନେକ ଘଟଣା ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ସେ କଣ୍ଟ୍ରୋଲ୍ ୟୁନିଟ୍ରେ ମେଳ ନଥିବା ଅଭିଯୋଗ ମଧ୍ୟ ଉଠାଇଛନ୍ତି। ଗଣନା କେନ୍ଦ୍ରର ସିସିଟିଭି ଫୁଟେଜ୍ ସାର୍ବଜନୀନ କରିବା ସହ ଭିଭିପିଏଟି ସ୍ଲିପ୍ର ସ୍ୱଚ୍ଛ ଗଣନା ପାଇଁ ସେ ଦାବି କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ନିର୍ବାଚନୀ ସଂସ୍ଥାମାନଙ୍କ ଉପରେ ଜନସାଧାରଣଙ୍କ ବିଶ୍ୱାସ ରହିଲେ ହିଁ ଗଣତନ୍ତ୍ର ସୁଦୃଢ଼ ରହିପାରିବ। କିନ୍ତୁ ଏଥର ନିର୍ବାଚନରେ ଯାହା ଦେଖାଗଲା, ତାହା ସେହି ବିଶ୍ୱାସକୁ ଗୁରୁତର ଆଘାତ ଦେଇଛି ବୋଲି ଅଭିଷେକ କହିଛନ୍ତି।
ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଛନ୍ତି। ତୃଣମୂଳ କାର୍ଯ୍ୟାଳୟ ଉପରେ ଆକ୍ରମଣ, କର୍ମୀମାନଙ୍କୁ ଧମକ ଏବଂ ସମର୍ଥକମାନଙ୍କୁ ଘର ଛାଡ଼ିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ସେ କରିଛନ୍ତି। ଗଣତନ୍ତ୍ରରେ କୌଣସି ରାଜନୈତିକ କର୍ମୀଙ୍କୁ ସୁରକ୍ଷା ଓ ବିଚାରଧାରା ମଧ୍ୟରୁ ଗୋଟିଏ ବାଛିବାକୁ ବାଧ୍ୟ କରାଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।
ଅଭିଷେକ ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଦଳ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସମ୍ବିଧାନର ସୁରକ୍ଷା ପାଇଁ ଲଢ଼େଇ ଜାରି ରଖିବ। ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ ଦିଲ୍ଲୀ ଓ ପଶ୍ଚିମବଙ୍ଗ ଉଭୟ ସ୍ତରରେ ଏକ ଶକ୍ତିଶାଳୀ ବିରୋଧୀ ଭୂମିକା ନିଭାଇବ ବୋଲି ସେ କହିଛନ୍ତି।




