ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (OMC) ଦ୍ୱାରା ପରିଚାଳିତ କୋଡ଼ିଙ୍ଗାମାଳି ବକ୍ସାଇଟ୍ ଖଣିର ସମ୍ପ୍ରସାରଣ ପାଇଁ କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲାର ୧୦,୦୦୦ରୁ ଅଧିକ ଗ୍ରାମବାସୀ ଆନୁଷ୍ଠାନିକ ଭାବେ ସମର୍ଥନ ଜଣାଇଛନ୍ତି। ସ୍ଥାନୀୟ ସମୁଦାୟର ଏହି ବିପୁଳ ସମର୍ଥନ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ପାନୀୟ ଜଳ ଯୋଗାଣ ଏବଂ ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବାର ପ୍ରତିଶୃତିକୁ ଦର୍ଶାଉଛି।

ଗତ ଆଠ ବର୍ଷ ଧରି ରାଜ୍ୟର ଶିଳ୍ପ ଭିତ୍ତିଭୂମିର ମୂଳଦୁଆ ସାଜିଥିବା ଏହି ଖଣି ବର୍ତ୍ତମାନ ବାର୍ଷିକ ୩.୬ ମିଲିୟନ ଟନ (MTPA) ବକ୍ସାଇଟ୍ ଉତ୍ପାଦନ କରୁଛି। ଶିଳ୍ପ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି OMC ଏହାର କ୍ଷମତାକୁ ୬ ମିଲିୟନ ଟନ (6 MTPA) କୁ ବୃଦ୍ଧି କରିବାକୁ ଯୋଜନା କରିଛି। ଗ୍ରାମବାସୀଙ୍କ ମତରେ ଏହି ସମ୍ପ୍ରସାରଣ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ବଢ଼ିବା ସହ ଗମନାଗମନ ଏବଂ ସାମାଜିକ ଭିତ୍ତିଭୂମିର ସୁଦୃଢ଼ୀକରଣ ହେବ। କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ବା ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରଭାବିତ ହୋଇ ଅଳ୍ପ କିଛି ଲୋକ ଏହି ପ୍ରକଳ୍ପକୁ ବିରୋଧ କରୁଥିଲେ ମଧ୍ୟ, ଗ୍ରାମବାସୀଙ୍କ ବ୍ୟାପକ ସମର୍ଥନ ପ୍ରକଳ୍ପକୁ ନୂତନ ଗତି ପ୍ରଦାନ କରିଛି।

OMC ଏହି ସମ୍ପ୍ରସାରଣ କାର୍ଯ୍ୟରେ ସ୍ଥାୟୀ ଖନନ ପଦ୍ଧତି, ପରିବେଶ ସୁରକ୍ଷା ଏବଂ ସମସ୍ତ ନିୟାମକ ମାନକକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରତିଶୃତି ଦେଇଛି। ଏହି ସମ୍ପ୍ରସାରଣ ପ୍ରକଳ୍ପ ଓଡ଼ିଶାକୁ ଖଣିଜ ଭିତ୍ତିକ ଶିଳ୍ପର କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ସହିତ ଆଦିବାସୀ ବହୁଳ ଅଞ୍ଚଳର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବ। ସମାଜର କଲ୍ୟାଣ ଏବଂ ଅନ୍ତର୍ଭୁକ୍ତ ବିକାଶ (Inclusive Growth) ହିଁ OMC ର ମୂଳ ଲକ୍ଷ୍ୟ ବୋଲି ନିଗମ ପକ୍ଷରୁ କୁହାଯାଇଛି।